-
ଏସଡିପିଓଙ୍କୁ ଏସପିଙ୍କ କଡ଼ା ନିର୍ଦ୍ଦେଶ
ବଲାଙ୍ଗିର, କଂଟାବାଞ୍ଜିର ଏକ ଲଜ୍ ଉପରେ ଚଢ଼ଉ କରି ପୋଲିସ ଟଙ୍କା ଜବତ କରିବା ଘଟଣାରେ ଏସଡିପିଓ ଡଃ. ହୃଷିକେଶ ମେହେର ଦେଇଥିବା ଟଙ୍କା ପରିମାଣ ତଥ୍ୟକୁ ନେଇ ତାଳମେଳ ନରହିବା ସମ୍ପର୍କରେ ଏସପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଚାଲିଛି । ତେବେ ଇତିମଧ୍ୟରେ କଂଟାବାଞ୍ଜି ଏସଡିପିଓ ଶ୍ରୀ ମେହେରଙ୍କୁ ଏସପି କଡ଼ା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏସଡିପିଓ ଶ୍ରୀ ମେହେର କୌଣସି ଅପରାଧଜନିତ ଘଟଣାର ତଦନ୍ତ ନକରିବାକୁ ନିର୍ଦ୍ଦେଶ ରହିଛି । ତଦନ୍ତ କିମ୍ବା ହସ୍ତକ୍ଷେପ ନକରିବାକୁ ଏସପି ତାଗିଦ୍ କରିଛନ୍ତି । ଲଜ୍ ରେ ଚଢ଼ଉ କରିଥିବା ସ୍କ୍ବାଡ୍ ର ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଡାକି ଏ ସମ୍ପର୍କରେ ପଚରା ଉଚୁରା କରିଛନ୍ତି ଏସପି ।
ପ୍ରକାଶ ଥାଉକି, ଗତ ୧୫ ତାରିଖ ରାତିରେ କଂଟାବାଞ୍ଜିର ନିର୍ଦ୍ଦିଷ୍ଟ ଏକ ଲଜ ଭିତରେ ୭ ଜଣ ରହୁଥିବା ବେଳେ ପୁଲିସ ଖବର ପାଇ ଚଢଉ କରି ୭ ଜଣଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ସେମାନଙ୍କ ପାଖରୁ ଏହି ଟଙ୍କା ଜବତ କରିଥିଲା । ଏସଡିପିଓ ୫୮ ଲକ୍ଷ ୫୨ ହଜାର ଜବତ ହୋଇଥିବା କହିଥିଲେ । ତେବେ ପରେ ଅଧିକ ୧୩ ଲକ୍ଷ ମିଳିଥିଲା । ସେହିପରି ଲଜ୍ ରୁ ଜବତ ଟଙ୍କା ଲୁଚାଇ, ଇଟାଭାଟି ମାଲିକଙ୍କୁ ଜୁଆଡ଼ି ଦର୍ଶାଯାଇଥିଲା ।