-
ମା ଖୋଜୁଛି ପୁଅକୁ
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ସଦର ବ୍ଲକ କେଗାଁ ଥାନା ଅଧିନସ୍ଥ ବୋର୍ଡ଼ା ପୋଲିସ ଫାଣ୍ଡିରେ ଗତ ୧୨ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଏହି ଫାଣ୍ଡି ଅଧିନସ୍ଥ ସାପସିଲେଟ ଗ୍ରାମର ସନ୍ତୋଷ ପାଣିଗ୍ରାହୀ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ପତ୍ନୀ ସମ୍ପ୍ରତି ଗର୍ଭବତୀ ଅଛନ୍ତି । ତାଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ରହିଛି । ତେବେ ଇତିମଧ୍ୟରେ ସନ୍ତୋଷ ଜଣେ ବିବାହିତା ମହିଳା ରୂପକାନ୍ତି ମାଝୀଙ୍କୁ ଭଲ ପାଉଥିଲା ଏବଂ ତାଙ୍କୁ ନେଇ କେଉଁଆଡେ ପଳାଇ ଯାଇଥଲା । ସନ୍ତୋଷଙ୍କ ପିତାମାତା ଏନେଇ ବୋର୍ଡ଼ା ଫାଣ୍ଡିରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଘଟଣାର ଛାନଭିନ୍ କରିବା ସହ ସନ୍ତୋଷ ଓ ରୂପକାନ୍ତିଙ୍କୁ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜିରୁ ଉଦ୍ଧାର କରି ଗତ ୧୨ ତାରିଖରେ ବୋର୍ଡ଼ା ଫାଣ୍ଡିକୁ ଆଣିଥିଲେ । ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇନପାରିବାରୁ ପୋଲିସ ବାବୁ ମାଝୀ (କନ୍ଧ )ସମାଜର ମୁଖିଆଙ୍କ ସମ୍ମୁଖରେ ଫାଣ୍ଡିରେ ପ୍ରେମିକ ପ୍ରେମିକାଙ୍କ ବିବାହ କରାଇଥିଲେ । ସନ୍ତୋଷ ରୂପକାନ୍ତିଙ୍କୁ ବରଣମାଳା ପିନ୍ଧାଇ ତାଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ । ଅନ୍ୟପକ୍ଷରେ ଜଣେ ବିବାହିତ ପୁରୁଷ ଓ ଜଣେ ବିବାହିତା ମହିଳାଙ୍କ ମଧ୍ୟରେ ପୁର୍ନବାର ବିବାହକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଏପଟେ ଆଦିବାସୀ (କନ୍ଧ )ସମାଜ ପ୍ରେମିକାକୁ ପ୍ରେମିକ ସବୁଦିନ ଭଲରେ ରଖିବାକୁ ତାଗିଦ୍ କରିଥିବା ବେଳେ ପ୍ରେମିକ ସନ୍ତୋଷଙ୍କ ମା ପୁଅର ବିଚ୍ଛେଦରେ ମର୍ମାହତ ହୋଇପଡିଛନ୍ତି । ମୋ ପୁଅକୁ ମୋତେ ଫେରେଇ ଦିଅ କହି ନେହୁରା ହେଉଛନ୍ତି । ହେଲେ ତାଙ୍କ କଥା ଶୁଣୁଛି କିଏ । ଏପରି ସ୍ଥିତିରେ ସନ୍ତୋଷଙ୍କ ମା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବା ସହ ତାଙ୍କର ଦୁଃଖ ଜଣାଇଛନ୍ତି ।
ତାଙ୍କ ଅଭିଯୋଗ ଅନୁଯାୟୀ, ବେଆଇନ ଭାବେ ମୋପୁଅକୁ ପୋଲିସ ବାବୁ ବିବାହ କରାଇ କେଉଁଆଡେ ପଠାଇ ଦେଇଛନ୍ତି । ମୋ ପୁଅ ବିବାହିତ ପୁଅ ବିନା ବୋହୁ ଓ ମୁଁ ବଂଚି ପାରିବୁ ନାହିଁ । ଏହାପରେ ବିଭାଗ ବୋରଡ଼ା ପୋଲିସ ଅଧିକାରୀଙ୍କୁ କେବଳ ବଦଳି କରି କାମ ସାରି ଦେଇଛି । ସେପଟେ ପ୍ରେମିକା ରୂପକାନ୍ତିଙ୍କ ପୂର୍ବତନ ସ୍ଵାମୀ ଚନ୍ଦ୍ରମଣୀ ମାଝୀ ଦୁଇ ପୁଅ ଝିଅଙ୍କୁ ଧରି ମୁଁ ବଂଚିବି, ହେଲେ ପର ପୁରୁଷକୁ ଧରି ପଳାଇ ଯାଇଥିବା ସ୍ତ୍ରୀକୁ ପୁନର୍ବାର ଗ୍ରହଣ କରିବି ନାହିଁ ବୋଲି ପ୍ରକାଶ କରିଛନ୍ତି ।
ପୋଲିସ ଥାନା, ଫାଣ୍ଡିରେ ଜଣେ ବିବାହିତ ପୁରୁଷ ଓ ଜଣେ ବିବାହିତା ମହିଳା ଯାହାରକି ପ୍ରେମିକାର ଦୁଇ ପୁଅଝିଅ ଏବଂ ପ୍ରେମିକର ଏକ ପୁଅ ରହିଥିବା ଓ ପତ୍ନୀ ଅନ୍ତଃସତ୍ଵା ଥିବା ବେଳେ ବିବାହ ହେଲା କିପରି । ଜିଲ୍ଲାରେ ବିବାହ ରେଜିଷ୍ଟ୍ରସନ କାର୍ଯ୍ୟାଳୟ, କୋର୍ଟ ଥିବା ସତ୍ବେ ପୋଲିସ କେଉଁ ଆଇନ ବଳରେ ଫାଣ୍ଡି ଭିତରେ ବିବାହିତ ପୁରୁଷ ଓ ମହିଳାଙ୍କୁ ବିବାହ କରାଇଲା ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।