ଭୁୁବନେଶ୍ୱର, ଆମ ସଂସ୍କୃତି, ଐତିହ୍ୟ ଓ ପାରମ୍ପରିକ ବିଭବଗୁଡ଼ିକ ଉପରେ ଅଧିକ ସଚେତନ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସଂଗ୍ରହାଳୟ ସହିତ ସଂପୃକ୍ତ କରାଯିବ । ଏହା ଫଳରେ ନୂତନ ପିଢ଼ି ଆମର ଅସ୍ମିତା ଓ ସ୍ୱାଭିମାନ ସହିତ ଅଧିକ ମାତ୍ରାରେ ପରିଚିତ ହେବେ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ମତ ଦେଇଛନ୍ତି । ବିଭାଗ ଆନୁକୂଲ୍ୟରେ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଶନିବାର ଆରମ୍ଭ ହୋଇଥିବା କଣ୍ଢେଇ ପ୍ରଦର୍ଶନୀ ପରିଦର୍ଶନ କରି ଶ୍ରୀ ପାଢ଼ୀ କହିଛନ୍ତି ଯେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ଏହି ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରିବ ।
ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ରାଜ୍ୟ ସଂଗ୍ରହାଳୟରେ ‘ଗାନ୍ଧିଜୀ ଓ ତିନି ମାଙ୍କଡ଼’ ଶୀର୍ଷକ ନେଇ କଣ୍ଢେଇ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ୧୫ ଦିନ ଧରି ଚାଲିବ । ପ୍ରଦର୍ଶନୀରେ ହଜାର ହଜାର ବିଭିନ୍ନ ପ୍ରକାରର କଣ୍ଢେଇ ରଖାଯାଇଛି । ପରବର୍ତୀ ସମୟରେ ସଂଗ୍ରହାଳୟରେ ଆରମ୍ଭ ହେବାକୁ ଥିବା କଣ୍ଢେଇ ଗ୍ୟାଲେରୀରେ ଏଗୁଡ଼ିକୁ ସ୍ଥାନିତ କରାଯିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରକାଶ କରିଛନ୍ତି ।
ରାଜ୍ୟ ସଂଗ୍ରହାଳୟକୁ ଭୁବନେଶ୍ୱରର ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରାୟ ୪ ହଜାର କଣ୍ଢେଇ ପ୍ରଦାନ କରାଯାଇଛି । ପ୍ରଦର୍ଶନୀ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସାହିତ୍ୟିକ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ଫାଉଣ୍ଡେସନ୍ ର ସଭାପତି ଡ. ହରେକୃଷ୍ଣ ପାତ୍ର, ଟ୍ରଷ୍ଟି ପ୍ରଫୁଲ୍ଲ ଚନ୍ଦ୍ର ଧୀର, ଜାଭିୟର ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଅଜିତ କୁମାର ଦାସ, ଫାଉଣ୍ଡେସନ୍ ର ସଦସ୍ୟ ସୂର୍ଯ୍ୟ ମିଶ୍ର, ଡ. ଦେବାଶିଷ ମହାପାତ୍ର, ପବିତ୍ର ପ୍ରଧାନ, ସୁଧୀର ମଉଡ଼ମଣି ଓ ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ପ୍ରମୁଖ ଉପସ୍ଥିତ ଥିଲେ । ଅନିନ୍ଦିତା ଦାସ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଗାନ କରିଥିଲେ । ସଂଗ୍ରହାଳୟ ପକ୍ଷରୁ ଭାରତୀ ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଥମ ଦିନରେ ପ୍ରାୟ ହଜାରେ ଛାତ୍ରଛାତ୍ରୀ କଣ୍ଢେଇ ପ୍ରଦର୍ଶନୀବୁଲିଥିବାବେଳେ ଆସନ୍ତା ଦିନଗୁଡ଼ିକରେ ସେମାନଙ୍କ ସଂଖ୍ୟା ଢେର ବୃଦ୍ଧି ପାଇବ ବୋଲି ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି ।