ଭୁୁବନେଶ୍ୱର , ହାଇଦ୍ରାବାଦ୍ ଠାରେ ଅନୁଷ୍ଠିତ ଡିଜିଟାଲ୍ ରୂପାନ୍ତରଣ ସମାବେଶ ସପ୍ତମ ସଂସ୍କରଣରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଛନ୍ତି । ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଆଇଟି କ୍ଷେତ୍ର ସହ ଜଡ଼ିତ ୧୫ଟି ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଉପସ୍ଥିତ ପ୍ରତିନିଧିଙ୍କୁ ନୂଆ ଆଇଟି ନୀତି ଏବଂ ଆଇଟି ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟରେ ବହୁ ଆଇଟି କମ୍ପାନୀ ପୁଞ୍ଜିନିବେଶ କରିଥିବାବେଳେ ଆହୁରି ଅନେକ କମ୍ପାନୀ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଆଇଟି କ୍ଷେତ୍ରରେ ନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି ବୋଲି ସେ ପ୍ରକାଶ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ବିଭିନ୍ନ ରାଜ୍ୟରୁ ଆସିଥିବା ଆଇଟି ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ଭେଟିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାର ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାର ଆଇଟି କ୍ଷେତ୍ରକୁ ଅଧିକ ପ୍ରଶସ୍ତ କରିବ ବୋଲି ସବୁ ମହଲରେ ଆଶାସଂଚାର ହୋଇଛି ।