ଭୁୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଜାତୀୟ ବେରୋଜଗାର ଦିବସ ଭାବେ ପାଳନ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଏହି ଅବସରରେ ମାଷ୍ଟର କ୍ୟାଂଟିନ ଛକଠାରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଭୀକ୍ଷା ମାଗିବା ସହ ଜୋତା ପଲିସ କରି ଅଭିନବ ଭାବେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।
ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବାର ଯେଉଁ ସ୍ୱପ୍ନ ଦେଖାଇଥିଲେ ତାହା ପ୍ରହସନରେ ପରିଣତ ହୋଇଛି । ନିଯୁକ୍ତି ତ ଦୂରର କଥା, ନିର୍ବାଚନ ପରେ ମୋଦି ସରକାର ଜନସାଧାରଣଙ୍କ ହାତରୁ ରୋଜଗାର ଛଡ଼ାଇନେବାକୁ ଯୋଜନା କରୁଛନ୍ତି । ଆଦାନୀ, ଅମ୍ବାନୀଙ୍କ ଭଳି କେତେକ ପୁଞ୍ଜିପତିଙ୍କ ସମ୍ବଳ ବଢ଼ାଇବାକୁ ଯାଇ ବହୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଧୂଳିସାତ କରିଦେଇଛନ୍ତି । ବହୁ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସ୍ଥାୟୀ ନିଯୁକ୍ତି ସୁଯୋଗ ଦେବା ପରିବର୍ତେ ମୋଦି ସରକାର ଅଗ୍ନିପଥ ଭଳି ଲକ୍ଷ୍ୟହୀନ ଯୋଜନା କରିଛନ୍ତି । ଏହା ଦ୍ୱାରା ଗୋଟିଏ ପଟେ ଦେଶର ସାମରିକ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ଆଶଙ୍କା ଥିବାବେଳେ ଅନ୍ୟପଟେ ଠିକା ନିଯୁକ୍ତି ପଛରେ ଧାଇଁ ଯୁବପିଢ଼ିଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ କରୋନା ପରେ ଦେଶର ବହୁ ଜନସାଧାରଣ ରୋଜଗାର ହରାଇ ହାତ ବାନ୍ଧି ବସିଛନ୍ତି । ଗରିବ ଓ ମଧ୍ୟବିତଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଏ ପରିସ୍ଥିତିରେ ମୋଦି ସରକାର ସେମାନଙ୍କୁ ରୋଜଗାର ପନ୍ଥା ଦେଖାଇବା ପରିବର୍ତେ ନିଜର ପ୍ରଚାର ପ୍ରସାର ଓ ଦଳୀୟ ପାଣ୍ଠି ବଢ଼ାଇବାରେ ଲାଗିଛନ୍ତି । ବିଦେଶ ଯାତ୍ରାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ସାଧାରଣ ଜନତା ଓ ଯୁବପିଢ଼ିଙ୍କ ଅବସ୍ଥାରେ କୌଣସି ପରିବର୍ତନ ଆସୁନାହିଁ । ଦେଶର ବିକାଶର ମୁଖ୍ୟ ସାରଥି କୁହାଯାଉଥିବା ଯୁବପିଢ଼ି ଯଦି ନିରାଶ ହୋଇ ବେକାର ବୁଲିବେ, ତେବେ ଉନ୍ନତି ହୋଇପାରିବ ନାହିଁ । ତେଣୁ ସରକାର ବେକାରୀ ସମସ୍ୟା ଦୂର କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଅନ୍ତୁ ବୋଲି ଡ. ଲେଙ୍କା ଦାବି କରିଛନ୍ତି ।
ଏହି ପ୍ରତିବାଦ ପ୍ରଦର୍ଶନରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ନିରଞ୍ଜନ ନାୟକ, ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ଦେବଦତ ପାତ୍ର, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଖୋର୍ଦ୍ଧା ଜିଲ୍ଲା ଯୁବକଂଗ୍ରେସ ସଭାପତି ସ୍ୱାଗତ କର, କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ବଳରାମ ନନ୍ଦ ପ୍ରମୁଖ ସାମିଲ ହୋଇ ବାଟରେ ଯାଉଥିବା ଯାତ୍ରୀଙ୍କୁ ଭୀକ୍ଷା ମାଗିବା ସହ ଲୋକଙ୍କ ଜୋତା ପଲିସ କରିଥିଲେ ।