ଭୁୁବନେଶ୍ୱର,କଟକରୁ ଜବତ ମେଡିସିନ୍ ନକଲି ବୋଲି ଟେଷ୍ଟିଂ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଶନିବାର ଦିନ ଲାବୋରେଟୋରି ରିପୋର୍ଟ ଆସିବା ପରେ କଟକରେ ବିକ୍ରୀ ହେଉଥିବା ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଲାବୋରେଟୋରି ରିପୋର୍ଟରେ ଏହି ‘ମେଡିସିନ୍ ନଟ୍ ଫିଟ୍ ଫର୍ ୟୁଜ୍’ ବୋଲି ଉଲ୍ଲେଖ କରାଯାଇଛି । ଏହି ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ୨ ଜଣଙ୍କ ନାମରେ ଥିବା ଆଉ ୨ଟି ବ୍ୟାଙ୍କ ଆକାଉଂଟ ଜବତ କରି ଏଥିରୁ ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି ।
ଦୁଇ ଅଭିଯୁକ୍ତ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଓ ପୂଜା ଏଂଟରପ୍ରାଇଜରସ୍ ମାଲିକ ସଞ୍ଜୟ ଜଲାନଙ୍କୁ୨ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଅଣାଯିବା ପରେ ପଚରାଉଚରା କରାଯାଇଥିଲା । ଯେଉଁଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଆଗରୁ ଏହି ଦୁଇ ଅଭିଯୁକ୍ତଙ୍କ ଏଜେନ୍ସି ନାମରେ ଥିବା ୨ଟି ବ୍ୟାଙ୍କ ଆକାଉଂଟ ଫ୍ରିଜ୍ କରାଯାଇଥିଲା । ଏହି ଏଜେନ୍ସି ଓ ଅଭିଯୁକ୍ତଙ୍କ ସହ ବ୍ୟାଙ୍କ ନେଣଦେଣ କରୁଥିବା ଅନ୍ୟ ଦୁଇଟି ଆକାଉଂଟ ଜବତ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଅନ୍ୟ କେଉଁମାନେ ନକଲି ଔଷଧ ଦେଉଥିଲେ, କେଉଁ ଦୋକାନୀମାନେ ନକଲି ଔଷଧ ବୋଲି ଜାଣି ମଧ୍ୟ ନେଇ କାରବାରରେ ସାମିଲ ଥିଲେ, କେଉଁମାନେ ନକଲି ଔଷଧ ବୋଲି ନ ଜାଣି କାରବାର କରୁଥିଲେ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିବାକୁ ପୁଲିସ ପ୍ରସ୍ତୁତି ହେଉଛି ବୋଲି ଡିସିପି କହିଛନ୍ତି ।