କଂଗ୍ରେସ ସେବାଦଳ ପକ୍ଷରୁ ଦୋଳଗୋବିନ୍ଦ ସ୍ମୃତି ସମ୍ମାନ ସମାରୋହ ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.) ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୪ର୍ଥ ସ୍ମୃତି ଚାରଣ ଉତ୍ସବରେ ଓଡ଼ିଶାର ୪ଜଣ ସମର୍ପିତ କଂଗ୍ରେସ କାର୍ଯ୍ୟକର୍ତା ଓ ୧୭ଜଣ ସେବାଦଳ ନିଷ୍ଠାପର କର୍ମୀଙ୍କୁ ସଂଗ୍ରାମୀ ଦୋଳଗୋବିନ୍ଦ ସ୍ମୃତି ସମ୍ମାନ -୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି । କଂଗ୍ରେସ ଭବନ ଠାରେ ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେ ଯେ ସ୍ୱର୍ଗତ ଦୋଳ ଗୋବିନ୍ଦଙ୍କ ଭଳି ଜଣେ ସଂକଳ୍ପସିଦ୍ଧ ମଣିଷ ଆଜିର ସମାଜରେ ବିରଳ । ତାଙ୍କର ସମଗ୍ର ଜୀବନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଗଢ଼ା । ବ୍ରହ୍ମପୁର ସ୍ୱତନ୍ତ୍ର କାରାଗାରରୁ ମୁକ୍ତି ପାଇଲା ପରେ, ଜେଲ ଭିତରେ ଶିକ୍ଷା କରିଥିବା ସମସ୍ତ ରଚନାତ୍ମକ କାର୍ଯ୍ୟକୁ ସେ ତାଙ୍କ ଗାଁରୁ ପ୍ରୟୋଗ ଆରମ୍ଭ କରି ସଫଳ ହେଲେ । ଯାହା ଫଳରେ ୱାର୍ଡ ମେମ୍ବରରୁ ମନ୍ତ୍ରୀ ଆସନ ଅଳଙ୍କୃତ କରି ପାରିଥିଲେ । କିନ୍ତୁ ଗର୍ବ ଓ ଅହଂକାର ତାଙ୍କୁ ସ୍ପର୍ଷ କରିପାରିନଥିଲା ।
ନିଖିଳ ଭାରତ କଂଗ୍ରେସ ସେବାଦଳର ଟ୍ରେନିଂ ଅଧିକାରୀ ଅଜିତ କୁମାର ଆଗାମୀ ଭାରତ ଯୋଡ଼ କାର୍ଯ୍ୟକ୍ରମରେ କଂଗ୍ରେସ ସେବାଦଳର ଭୂମିକା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ସଂଗ୍ରାମୀ ଦୋଳଗୋବିନ୍ଦଙ୍କୁ ଜଣେ କଂଗ୍ରେସ ସମର୍ପିତ ପ୍ରାଣ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କୁ ଜଣେ ଯୋଗୀ ପୁରୁଷ ଭାବେ ତାଙ୍କ କାର୍ଯ୍ୟର ପ୍ରଂଶସା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସଂଗ୍ରାମୀ ଦୋଳ ଗୋବିନ୍ଦ ସ୍ମୃତି ସମ୍ମାନ, ବିଧାନ ଚନ୍ଦ୍ର ରାୟ, କିଶୋର ଜେନା, ଅଶୋକ କୁମାର ସିଂହ, ଜ୍ୟୋତିଷ କୁମାର ସାହୁ, କରୁଣାକର କର,ରାମ କୃଷ୍ଣ ପରିଡ଼ା, ରବିନ୍ଦ୍ର କୁମାର ରାଉତ, ଶ୍ରୀ ସୀତାବଲ୍ଲଭ ମହାପାତ୍ର, ସୁଶ୍ରୀ ରଞ୍ଜିତା ମଲ୍ଲିକ, କିଶୋର କାପୁର, ବସନ୍ତ କୁମାର ସାମଲ, ପ୍ରଫୁଲ ପାଢ଼ୀ, ରବିନ୍ଦ୍ର କୁମାର ସାବୁତ, ମୁନୁ ସରାଫ, ଲଳିତ କୁମାର ଡାଳୁଆ,ବିପିନ ବିହାରୀ ନାୟକ, ଜବାହର ଜେନା, ଆଶିଷ କୁମାର ପତି, ଅବଦୁଲ କୁଦୁସ,ମୁନା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପାତ୍ର ପଡ଼ାସ୍ଥ ବନ୍ୟ ଓ ପଶୁ ସଂପଦ ବିଭାଗର ସ୍ମୃତି ବନଠାରେ ସ୍ମୃତି ବୃକ୍ଷର ପୂଜା କରାଯାଇଥିଲା ।