
ଭୁବନେଶ୍ୱର, ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସର ଉପସଭାପତି ସୁଶ୍ରୀ ରାଜଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଗୁରୁବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ କଲେଜ ଅଫ ସାଇନ୍ସ ଆଣ୍ଡ ଏଜୁକେସନର କ୍ୟାମ୍ପସ କମିଟି କଲେଜର ବିଭିନ୍ନ ମୌଳିକ ସମସ୍ୟା ସମ୍ବଳିତ ଏକ ଦାବିପତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ପ୍ରଦାନ କରିଥିଲେ । କଲେଜର ବିଭିନ୍ନ ସମସ୍ୟା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେହି ଦାବି ଗୁଡ଼ିକ ହେଲା କଲେଜରେ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ସ୍ପୋର୍ଟସ ର ବ୍ୟବସ୍ଥା, କଲେଜ ପରିସର, କ୍ଲାସ ରୁମ ଏବଂ ଶୌଚାଳୟର ସଫେଇ ବ୍ୟବସ୍ଥା, ବାର୍ଷିକ ଉତ୍ସବ, ଆବଶ୍ୟକ ଅନୁଯାୟି ଅଧ୍ୟାପକ ନିଯୁକ୍ତି, ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ଉତ୍ସବ, କ୍ୟାମ୍ପସରେ ନିଶାନିବାରଣ, ସାଇକେଲ ଓ ମୋଟର ସାଇକେଲ ଷ୍ଟାଣ୍ଡ, କ୍ୟାମ୍ପସରେ ଅସାମାଜିକ ଯୁବକମାନଙ୍କର ପ୍ରବେଶ ନିଷେଧ ସହ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଅଧ୍ୟାପକ ମାନଙ୍କର ଭଲ ବ୍ୟବହାର । ଶ୍ରୀ ପୂଜାରୀ ଛାତ୍ରଛାତ୍ରୀ ମାନଙ୍କ ସହିତ ଏହି ଦାବି ବିଷୟରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ୟାମ୍ପସ କମିଟିର ସଭାପତି ଦେବାଶିଷ ସାହୁଙ୍କ ସହ ଚନ୍ଦନ ବେହେରା ଓ ଅମିୟ ରଞ୍ଜନ ମହାରଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।