ମାଲକାନଗିରି, ସରକାରୀ ବାବୁ ମାନଙ୍କ ଅବହେଳାରୁ କୋଟି କୋଟି ଟଙ୍କାର ସରକାରୀ ଜମି ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ମାଲକାନଗିରି ତହସିଲ ଅନ୍ତର୍ଗତ ମାଲକାନଗିରି ମୌଜାର ସରକାରୀ ଖାତା ନଂ -୧୦୦୭ , ପ୍ଲଟ୍ ନଂ -୪୨୫୯ ଏବଂ ୪୨୬୦ , ଏରିଆ – ୦.୩୨୩ କୁ ଅତି ଚଞ୍ଚକତା କ୍ରମେ ହଡ଼ପ୍ କରିବାକୁ ଚେଷ୍ଟା କରାଯାଉଛି ।
ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବସବାସ କରୁଥିବା ଜୈନେକ ମହିଳା ନିଜକୁ ଭୂମିହୀନ ଦର୍ଶାଇ ସିଭିଲ ଜର୍ଜ ଜୁନିୟର ଡିଭିଜନ କୋର୍ଟରେ ଟାଇଟେଲ ସୁଟ ନମ୍ବର ୧୦/୨ କେ ରେ ମିଥ୍ୟା ତଥ୍ୟ ପ୍ରକାଶ କରି ଉକ୍ତ ସରକାରୀ ଜମିକୁ ନିଜ ନାମରେ ପଟ୍ଟା କରାଇ ନେବା ନିମନ୍ତେ ଏକ ହୀନ ପ୍ରୟାସ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ନିଜ ନାମରେ ଘରବାରୀ ପଟ୍ଟା ( ଖାତା ନଂ ୬୮, ପ୍ଳଟ ନଂ -୪୨୭୭ ମୌଜା- ମାଲକାନଗିରି ) ଥାଇ ମଧ୍ୟ ନିଜକୁ ଭୂମିହୀନ ଦର୍ଶାଇ କୋର୍ଟରେ ମିଥ୍ୟା ତଥ୍ୟ ପ୍ରକାଶ କରି କୋର୍ଟରୁ ଆଦେଶ ପତ୍ର କରାଇ ନେଇଥିଲେ । ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟକୁ ଅନୁଧ୍ୟାନ କଲେ ଏହି ଷଡ଼ଯନ୍ତ୍ରରେ ସେତେବେଳର ବିଭାଗୀୟ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ବୃନ୍ଦଙ୍କ ହାତ ରହିଥିବାର ସମ୍ପୁର୍ଣ୍ଣ ବାରି ହୋଇପଡୁଛି । ଏହା ଏକ ଆଶ୍ଚର୍ଯ୍ୟର ବିଷୟ ଯେ ଉକ୍ତ କେସ୍ ବିରୁଦ୍ଧରେ ସରକାରଙ୍କ ପାଖରେ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ଥାଇ ମଧ୍ୟ ସରକାର କିଭଳି ଉକ୍ତ କେସ୍ ହାରି ଯାଇଥିଲେ । ଏଥିରୁ ସରକାରୀ ବାବୁମାନଙ୍କ ସଚୋଟତା, ନିଷ୍ଠାପରତା ଏବଂ ସରକାରଙ୍କ ତରଫରୁ ଲଢୁଥିବା ଆଇନଜୀବିଙ୍କ ବିଜ୍ଞତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତଳ କୋର୍ଟରେ ଉକ୍ତ କେସ୍ ହାରି ଗଲାପରେ ଉପର କୋର୍ଟରେ ଉକ୍ତ ରାୟ ବିରୋଧରେ ସରକାର ଅପିଲ୍ କରିବା ପାଇଁ ସେତେବେଳର ଜିଲ୍ଲାପାଳ ଶ୍ରୀ ଯାଦବଙ୍କ ଆଦେଶକୁ କିପରି ବେଖାତିରି କରି ଉକ୍ତ ଫାଇଲ୍କୁ ଚାପି ଦିଆଯାଇଥିଲା ତାହାର ପ୍ରମାଣ ମିଳୁଛି । ତଳ କୋର୍ଟରେ ଉକ୍ତ କେସ୍ ହାରି ଗଲାପରେ ଉପର କୋର୍ଟରେ ଉକ୍ତ ରାୟ ବିରୋଧରେ ସରକାର ଅପିଲ୍ କରିବାକୁ ଉପଦେଶ ଦେବା ପରିବର୍ତ୍ତେ ସରକାରୀ ଓକିଲ ଏହାର ଆବଶ୍ୟକତା ନାହିଁ ବୋଲି ମତ ପ୍ରକାଶ କରିଥିଲେ । ଏହି ସମସ୍ତ ବିଷୟ ପୂର୍ବତନ ଜିଲ୍ଲାପାଳ ଆର.ଭିନିଲ୍ କ୍ରୀଷ୍ଣାଙ୍କ ଦୃଷ୍ଟି ଗୋଚରକୁ ଲିଖିତ ଭାବରେ ଆଣିବା ପରେ ତଳ କୋର୍ଟରେ ସିଭିଲ ଜର୍ଜ ଜୁନିୟର ଡିଭିଜନରେ ପ୍ରକାଶ ପାଇଥିବା ରାୟ ବିରୁଦ୍ଧରେ ଦୀର୍ଘ ଦଶ ବର୍ଷ ପରେ ୨୦୧୦ ରେ ଉପର କୋର୍ଟରେ ଅପିଲ କରାଯାଇଥିଲା । ବିଶେଷ ସୂତ୍ରରୁ ବର୍ତ୍ତମାନ ଶୁଣିବାକୁ ମିଳୁଛି, ଉକ୍ତ ଜମି ହଡ଼ପକାରୀ ମହିଳା ଓ ତାଙ୍କ ପୁଅ ମାନେ ମିଶି କେତେକ ସରକାରୀ ବାବୁଙ୍କ ସହିତ ହାତ ମିଶାଇ ଉକ୍ତ କେସ୍ କୁ କେଉଁ ଉପାୟରେ ଓ କିଭଳି ଜିତି ହେବ ଓ ଉକ୍ତ ସରକାରୀ ଜମି ହଡ଼ପ କରିହେବ ତାହାର କୁଟ ଚକ୍ରାନ୍ତ ଚଳାଇଛନ୍ତି । ଜମି ହଡ଼ପକାରୀଙ୍କ ଠାରୁ ସତର୍କ ରହି ଉକ୍ତ ମୋକଦ୍ଦମାରେ ସରକାରଙ୍କ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ସାଧାରଣରେ ଦାବି ହେଉଛି ।