ଭୁୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବୁଧବାର ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମହର୍ଷି କଲେଜଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ “ଛାତ୍ର ଯୋଡ଼ୋ ଭାରତ ଯୋଡ଼ୋ” କାର୍ଯ୍ୟକ୍ରମରେ ଏକ ପଦଯାତ୍ରା ହୋଇଥିଲା । ଛାତ୍ର କଂଗ୍ରେସ କର୍ମକର୍ତାମାନେ ଏବଂ ଛାତ୍ରଛାତ୍ରୀମାନେ ମହର୍ଷି କଲେଜରୁ ଯାତ୍ରା ଆରମ୍ଭ କରି ରମାଦେବୀ ବିଶ୍ୱବିଦ୍ୟାଳୟ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିକ୍ରମା କରାଯାଇଥିଲା । ୟାସିର ନୱାଜଙ୍କ ଆହ୍ୱାନରେ ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ କାର୍ଯ୍ୟକ୍ରମକୁ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆଗେଇ ନିଆଯିବ । ଓଡ଼ିଶାର ସାରା ମଧ୍ୟ ଏହି କାର୍ଯ୍ୟକ୍ରମ ଏବେ ଚାଲିଛି । ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରତି ତାଙ୍କର ସମର୍ଥନ ବ୍ୟକ୍ତ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ନୱାଜ କହିଥିଲେ ଯେ ଦେଶର ଅଖଣ୍ଡତା ରକ୍ଷା କରିବାପାଇଁ, ଗଣତନ୍ତ୍ର ଓ ସମ୍ବିଧାନକୁ ସଶକ୍ତ କରିବାପାଇଁ, ଦେଶର ସମ୍ପତି ବିକ୍ରିକୁ ରୋକିବା ପାଇଁ ଏବଂ ବିଶେଷ କରି ଘୃଣା, ହିଂସା, ଦ୍ୱେଷକୁ ପରିହାର କରି ଏକ ନୂତନ ଭାରତ ବର୍ଷର ଗଠନର ପ୍ରଚେଷ୍ଟା ହେଉଛି ଭାରତ ଯୋଡ଼ୋ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସେହିପରି ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଛାତ୍ର ବିଜେଡ଼ିର ଦଳୀୟ କାର୍ଯ୍ୟାଳୟରେ ପରିଣତ କରିବାପାଇଁ ମୁଖ୍ୟମନ୍ତ୍ରୀ ଚକ୍ରାନ୍ତ କରୁଛନ୍ତି । ଗୋଟିଏ ପଟେ ଚାରିବର୍ଷ ହେଲା ଛାତ୍ର ସଂସଦର ନିର୍ବାଚନ ବନ୍ଦ କରାଯାଇଥିଲା ବେଳେ, ଛାତ୍ର ବିଜେଡ଼ି ପକ୍ଷରୁ କ୍ୟାମ୍ପସ କମିଟି ଗଠନ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ୨୨ ବର୍ଷ ଭିତରେ ଛାତ୍ର ବିଜେଡ଼ି ଏକ ନିକମା, ମେରୁଦଣ୍ଡବିହିନ, ମସ୍ତକ ବିହିନ, ସ୍ୱାଭିମାନ ରହିତ, ଗୋଡ଼ାଣିଆ, ଅନ୍ଧ, ମୂକ, ବଧିର ସଂଗଠନ ଭାବରେ ରହିଛି । ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରାଯାଇଛି ଯାହାକି ବିଜେପି ଓ ଆରଏସଏସ ପ୍ରସ୍ତୁତ ଏକ ଶିକ୍ଷା ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦିଆଯାଇଛି । ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ସମୁହରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ବେଳେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଛାତ୍ର କଂଗ୍ରେସ ଛାତ୍ର ଯୋଡ଼ୋ କାର୍ଯ୍ୟକ୍ରମ କରୁଛି । ପ୍ରତ୍ୟେକ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଂହଚିବା ଆମର ଲକ୍ଷ୍ୟ ।
ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, କିରଣ ସାହୁ, ନିହାର ବେହେରା, ସ୍ୱାଗତ କର, ସୁନିଲ ମାଟିଆ, ଜଗଦିଶ ଗଜେନ୍ଦ୍ର, ସ୍ମୃତିରଞ୍ଜନ ତ୍ରିପାଠୀ, ନିହାର ବେହେରା, ରଣଜିତ ସେନାପତି, କାର୍ତିକେଶ୍ୱର କାଣ୍ଡି, ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ବହୁ ଛାତ୍ର ନେତା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।