ଭୁୁବନେଶ୍ୱର, ୟୁନିଟ୍ ୮ ନାରାୟଣୀ ବସ୍ତିରେ ଚନ୍ଦୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଲେଡି ଡନ୍ ରଞ୍ଜୁ ଓ ତାର ସହଯୋଗୀ କାହ୍ନା ଗିରଫ ହୋଇଛନ୍ତି । ଉଭୟଙ୍କୁ ଗଞ୍ଜାମରୁ ଗିରଫ କରିଛି କମିଶନରେଟ ପୋଲିସ ।
ଶୁକ୍ରବାର ବିଳମ୍ବିତ ରାତିରେ ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ (୩୭) ନାରାୟଣୀ ବସ୍ତିକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମୁଖ୍ୟ ଅଭିଯୁକ୍ତ ଲେଡି ଡନ୍ ରଞ୍ଜୁ ଓ ତାର ସହଯୋଗୀ କାହ୍ନା ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଦୁର୍ବୃତମାନେ ତାଙ୍କୁ ବସ୍ତି ଭିତରେ ପିଟିପିଟି ହତ୍ୟା କରିଥିଲେ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ୍ ଘଟଣାସ୍ଥଳରୁ ଚନ୍ଦୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ।
ମିଳିଥିବା ସୂଚନାନୁଯାୟୀ, ନିଶା କାରବାର କରିଆସୁଥିବା ଚନ୍ଦୁ କିଛି ଦିନ ତଳେ ଏଥିରୁ ଦୂରେଇ ଯାଇଥିଲା । କିନ୍ତୁ ପୁରୁଣା ହିସାବକୁ କେନ୍ଦ୍ରକରି ତା’ର କିଛି ଯୁବକଙ୍କ ସହ ବିବାଦ ହୋଇଥିଲା । ତାହାକୁ କେନ୍ଦ୍ରକରି କିଛି ଦିନ ତଳେ ଚନ୍ଦୁ ସହ ସେମାନେ ଗଣ୍ଡଗୋଳ କରିଥିଲେ । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ବସ୍ତିକୁ ଉକ୍ତ ଯୁବକମାନେ ଆସି ଚନ୍ଦୁ ସହ ଗଣ୍ଡଗୋଳ କରିଥିଲେ । ଦୀର୍ଘ ସମୟ ଧରି ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।