-
ପ୍ରତି ମାସରେ ଜିଲ୍ଲା ଗସ୍ତ କରି ସମୀକ୍ଷା ରିପୋର୍ଟ ଦେବେ
ଭୁୁବନେଶ୍ୱର, ରାଜ୍ୟରେ ଚାଷର ସ୍ଥିତି ଓ ଯୋଜନାଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ନିମନ୍ତେ ବିଭାଗ ପକ୍ଷରୁ ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି । ନୋଡାଲ ଅଧିକାରୀମାନେ ପ୍ରତିମାସରେ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଷର ସ୍ଥିତି, କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି, ଉଦ୍ୟାନ କୃଷି, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି ଏବଂ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନଙ୍କ ସମେତ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ ଆଦି ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି ।
ନୋଡାଲ ଅଧିକାରୀମାନେ ଜିଲ୍ଲାଗସ୍ତ ସମୟରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ସ୍ଥିତି, ଫସଲ ଋଣ ଯୋଗାଣ, ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଓଡ଼ିଶା ମିଲେଟ୍ ମିଶନ, କ୍ଷେତପୋଖରୀ ଖନନ, ଫସଲ ଚାଷରେ ବିବିଧିକରଣ, ସୌର ଜଳନିଧି ପ୍ରକଳ୍ପ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଗାଣ ଆଦିର ଧାର୍ଯ୍ୟ ଲକ୍ଷ୍ୟ ଏବଂ ଏହାର ପୂରଣର ସମୀକ୍ଷା କରିବେ । ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ ସମେତ ଆଳୁ, ମସଲାଚାଷ, ବ୍ଲକ୍ ସ୍ତରୀୟ ନର୍ସରୀ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଏମ୍ଜିଏନ୍ଆରଇଜିଏରେ ବୃକ୍ଷରୋପଣ ଆଦି ସଂପର୍କରେ ସବିଶେଷ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ସହିତ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପ୍ରସ୍ତାବ ଦେବେ ।
ନୋଡାଲ ଅଧିକାରୀମାନେ ସେମାନଙ୍କ ଗସ୍ତ ସମୟରେ ବିହନ, ମୃତିକା, ସାର ଓ କୀଟନାଶକ ପରୀକ୍ଷାଗାର, ଡିଲର ପଏଂଟ, କୃଷି ଏବଂ ଉଦ୍ୟାନ କୃଷି ଫାର୍ମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରତିଷ୍ଠିତ ପ୍ରକଳ୍ପ, ଆଗ୍ରୋ ସର୍ଭିସ ସେଂଟର, ଯୁଗ୍ମଦେୟ ଗୋଷ୍ଠୀଗୁଡ଼ିକ ନିୟମିତ ପରିଦର୍ଶନ କରି ହିତାଧିକାରୀ ଏବଂ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିବା ପାଇଁ କୁହାଯାଇଛି । ଏତଦ୍ ବ୍ୟତୀତ ସମନ୍ୱିତ କୃଷି ଫାର୍ମ, ଏମ୍ଜିଏନ୍ଆରଇଜିଏରେ ଫାର୍ମ ପଣ୍ଡ ଖନନ, କୂପ ଖନନ, ଭର୍ମି କମ୍ପୋଷ୍ଟ ୟୁନିଟ୍, ଅଣଧାନ ଫସଲ, ଡାଲି, ତୈଳବୀଜ, ମାଣ୍ଡିଆ, କପା, ଝୋଟ ଆଦିି ସଂଗ୍ରହ କେନ୍ଦ୍ର ପରିଦର୍ଶନ କରିବେ । ଏଥି ସହିତ କୃଷିରେ ଅଧିକ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ଓ ‘ଆମ କୃଷି’ର ହିତାଧିକାରୀଙ୍କୁ ଭେଟି ଆଲୋଚନା କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି ।