
-
ପ୍ରତିବାଦରେ ପୋଲିସ ଉପରେ ଆକ୍ରମଣ, ଥାନାରେ ବ୍ୟାପକ ଭଙ୍ଗାରୁଜା
ପାରଳାଖେମୁଣ୍ଡି, ପୋଲିସର ରାତିଅଧିଆ ଚଢ଼ଉ ଓ ମିଥ୍ୟା ମାମଲାରେ ଫସାଉଥିବା ଅଭିଯୋଗ ଆଣିବା ସହ ଏହାର ପ୍ରତିବାଦରେ ଗଜପତି ଜିଲ୍ଲା ଅଡ଼ବା ଥାନାରେ ପଶି ପୋଲିସ ଉପରେ ଆକ୍ରମଣ ଏବଂ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ୟେକ୍ତ ଲୋକେ । ସ୍ଥାନୀୟ ୬ ପଂଚାୟତର ଲୋକେ ଥାନାରେ ପଶି ଏଭଳି ଆକ୍ରମଣ କରିଛନ୍ତି ।
ଅଡ଼ବା ଥାନା ପୋଲିସ ଗତକାଲି ଝରଣପୁର ଗାଁରେ ରାତି ଅଧିଆ ଚଢ଼ଉ କରିଥିଲା । ସେଠାରୁ ପୁଲିସ ବିଶ୍ଵନାଥ ଭୂୟାଁ ନାମକ ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା । ବିଶ୍ଵନାଥଙ୍କୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ କରାଯାଇଥିବା ପୁଲିସ କହୁଥିବା ବେଳେ ଗ୍ରାମବାସୀ କିନ୍ତୁ ଏହାକୁ ମାନିବାକୁ ନାରାଜ । ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଉଥିବା କହିଛନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ତାଙ୍କୁ ଥାନାରୁ ମୁକୁଳାଇବାକୁ ଦାବି କରି ଆଜି ସକାଳ ପ୍ରାୟ ୯ଟାରେ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ପହଂଚି ଧାରଣାରେ ବସିଥିଲେ । ମାତ୍ର କିଛି ସମୟ ପରେ ପୋଲିସ ସହ ବଚସା ହେବାରୁ ଉତକ୍ଷିପ୍ତ ହୋଇଉଠିଥିଲେ ଆନ୍ଦୋଳନକାରୀ । ଶତାଧିକ ସଂଖ୍ୟାରେ ଆନ୍ଦୋଳନକାରୀ ଥାନା ଭିତରକୁ ଧସେଇ ପଶିଥିଲେ । ଗୋଡ଼ାଇ ଗୋଡ଼ାଇ ପୋଲିସ କର୍ମୀଙ୍କୁ ପିଟିଥିଲେ, ଆସବାବପତ୍ର ଭଙ୍ଗାରୁଜା କରିଥିଲେ ।