ଭୁବନେଶ୍ୱର, ବିଜେପିର ତିନି ଦିନିଆ ରାଜ୍ୟ ପ୍ରଶିକ୍ଷଣ ବର୍ଗ ମଙ୍ଗଳବାର ଠାରୁ ପୁରୀ ଠାରେ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ ବୈଚାରିକ ଓ ସାଂଗଠନିକ ବିଷୟ ଉପରେ ପାର୍ଟିର ବରିଷ୍ଠ ପଦାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ ସନ୍ତୋଷ ଏହି ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇ ପାର୍ଟିର ଏକାତ୍ମ ମାନବ ଦର୍ଶନ ଓ ବୈଚାରିକ ପ୍ରତିବଦ୍ଧତା ସମ୍ପର୍କରେ ଉଦବୋଧନ ଦେବେ ବୋଲି ଦଳୀୟ ସୂତ୍ରରୁ ଜଣା ପଡିଛି ।
ଏହି ବର୍ଗରେ ରାଜ୍ୟ ପ୍ରଭାରୀ ସୁନୀଲ ବଂସଲ, ଡି ପୁରୁନ୍ଦେଶ୍ୱରୀଙ୍କ ସମେତ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ପାର୍ଟୀର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେବା ସହ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୋଦୀ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିଭଳି ରାଜ୍ୟବାସୀଙ୍କୁ ମିଳିପାରିବ ଓ ଦଳର ସଂଗଠନକୁ କିପରି ସୁଦୃଢ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣା ପଡିଛି ।
ଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଦଳର ସାଧାରଣ ସମ୍ପାଦକ ଓ ଉପସଭାପତିମାନେ ଏବଂ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ପ୍ରଶିକ୍ଷଣ ଶିବିର ସଂଯୋଜିକା ଭାବେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଦାୟିତ୍ଵ ନେଇଥିବାବେଳେ , ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସବୁ ସାଂସଦ, ବିଧାୟକ, ପଦାଧିକାରୀ ଯୋଗ ଦେଇଛନ୍ତି । ଏଥିସହ 2019 ରେ ନିର୍ବାଚନ ଲଢ଼ିଥିବା ସବୁ ସାଂସଦ ଓ ବିଧାୟକ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ଯୋଗ ଦେଇଛନ୍ତି ।