ପାରଳାଖେମୁଣ୍ଡି, ପୋଲିସର ରାତିଅଧିଆ ଚଢ଼ଉ ଓ ମିଥ୍ୟା ମାମଲାରେ ଫସାଉଥିବା ଅଭିଯୋଗ ଆଣିବା ସହ ଏହାର ପ୍ରତିବାଦରେ ଗଜପତି ଜିଲ୍ଲା ଅଡ଼ବା ଥାନାରେ ପଶି ପୋଲିସ ଉପରେ ଆକ୍ରମଣ ଏବଂ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ୟେକ୍ତ ଲୋକେ।
ଅଡ଼ବା ଥାନା ପୋଲିସ ଗତକାଲି ଝରଣପୁର ଗାଁରେ ରାତି ଅଧିଆ ଚଢ଼ଉ କରିଥିଲା । ସେଠାରୁ ପୁଲିସ ବିଶ୍ଵନାଥ ଭୂୟାଁ ନାମକ ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା । ବିଶ୍ଵନାଥଙ୍କୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ କରାଯାଇଥିବା ପୁଲିସ କହୁଥିବା ବେଳେ ଗ୍ରାମବାସୀ କିନ୍ତୁ ଏହାକୁ ମାନିବାକୁ ନାରାଜ । ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଉଥିବା କହିଛନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ତାଙ୍କୁ ଥାନାରୁ ମୁକୁଳାଇବାକୁ ଦାବି କରି ଆଜି ସକାଳ ପ୍ରାୟ ୯ଟାରେ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ପହଂଚି ଧାରଣାରେ ବସିଥିଲେ । ମାତ୍ର କିଛି ସମୟ ପରେ ପୋଲିସ ସହ ବଚସା ହେବାରୁ ଉତକ୍ଷିପ୍ତ ହୋଇଉଠିଥିଲେ ଆନ୍ଦୋଳନକାରୀ । ଶତାଧିକ ସଂଖ୍ୟାରେ ଆନ୍ଦୋଳନକାରୀ ଥାନା ଭିତରକୁ ଧସେଇ ପଶିଥିଲେ । ଗୋଡ଼ାଇ ଗୋଡ଼ାଇ ପୋଲିସ କର୍ମୀଙ୍କୁ ପିଟିଥିଲେ, ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଆଦିବାସୀଙ୍କ ଆକ୍ରମଣରେ ପ୍ରାୟ ୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମୋହନା ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ ମୋହନା ବିଡିଓ, ଏସଡିପିଓ, ବ୍ଳକ ଚେୟାରମ୍ୟାନ ପ୍ରମୁଖ ଘଟଣାସ୍ଥଳରେ ପହଂଚିଛନ୍ତି । ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଏସଡିପିଓ କହିଛନ୍ତି ।
ଅପରପକ୍ଷେ, ମିଥ୍ୟା ମାମଲାରେ ଫସାଇଥିବା ବିଶ୍ଵନାଥଙ୍କୁ ପୁଲିସ ତୁରନ୍ତ ଛାଡ଼ିବା ସହ ତାଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର ନ କଲେ ଥାନା ଭାଙ୍ଗିଦେବୁ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ।