କନ୍ଧମାଳ, ଫୁଲବାଣୀ ମ୍ୟୁନିସିପାଲିଟିର ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକଙ୍କ ଉପରେ ଆକ୍ରମଣ ଘଟଣାରେ ଜଡ଼ିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କୁ ଭେଟିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ରାତିରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀ ଶ୍ରୀ ନାୟକ ରହୁଥିବା ବାସଭବନ ଆଗରେ କିଛି ଦୁର୍ବୁତ ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ଯନ୍ତ୍ରୀ ଶ୍ରୀ ନାୟକ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଥିଲେ । ତେବେ ସହରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଥିବା ଓ ପୋଲିସ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଯନ୍ତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୋମବାର ମ୍ୟୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ମାନେ ମିଳିତ ଭାବେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବି କରି ପୋଲିସ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କୁ ଭେଟି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ଫୁଲବାଣୀ ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ କିଛି ଦୁର୍ବୁତ ଗାଳିଗୁଲଜ କରିବା ସହ ଅସଦ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ଅଗଷ୍ଟ ୧୬ରେ ଫୁଲବାଣୀ ପିଡବ୍ଲୁଡିର ଅନ୍ୟ ଜଣେ ଯନ୍ତ୍ରୀଙ୍କୁ ମଧ୍ୟ ଜଣେ ଦୁର୍ବୁତ କୋର୍ଟ ଛକରେ ଛୁରୀ ଭୁସି ଦେଇଥିଲା । ଏନେଇ ସମ୍ପୃକ୍ତ ଆହତ ଯନ୍ତ୍ରୀ ଥାନାରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ଏଯାଏଁ । କେବଳ ସେତିକି ନୁହେଁ ଗତବର୍ଷ ମଧ୍ୟ ସରୋଜ ପାଢ଼ୀ ନାମକ ଜଣେ ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଦୁର୍ବୁତମାନେ ପଶି ମାଡ଼ ମାରିବା ସହ ସେଠାରେ ଭଙ୍ଗାରୁଜା କରିଥିଲେ । ତେବେ ପୋଲିସ ତୁରନ୍ତ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ।