
ମୁଖୀଗୁଡା, ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଡୁଙ୍ଗୁରିପଡା ନିକଟରେ ଭୁଶୁଡ଼ିଯିବା ଯୋଗୁଁ ଡୁଙ୍ଗୁରିପଡାର ତିନୋଟି ଘରେ ପାଣି ପଶିବା ସହ ଚାଷୀଙ୍କ ଜମି ବାଲିଚର ହୋଇଥିବା ଜଣାପଡ଼ିଛି । ଗତ ରାତି ପ୍ରାୟ ୧୨ଟା ବେଳେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଜୟପାଟଣା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗରିପଡ଼ା ଆରଡ଼ି ୮୪୩୦ ମିଟର ନିକଟରେ ଭୁଶୁଡ଼ି ପଡିବା ଯୋଗୁଁ ପ୍ରାୟ ୧୦ ମିଟର ଘାଇ ସୃଷ୍ଟି ହୋଇଛି । ଗତକାଲି ମଙ୍ଗଳପୁର ହାତୀ ବ୍ୟାରେଜରୁ ଇନ୍ଦ୍ରାବତୀ ବାମ କେନାଲରେ ୫୯ କ୍ୟୁମେକ୍ସ ପାଣି ଛଡାଯାଇଥିଲା । ରାତି ପ୍ରାୟ୧୨ଟା ବେଳେ ଆରଡ଼ି ୮୪୩୦ ମିଟରରେ ଭୁଶୁଡ଼ି ୧୦ ମିଟର ଘାଇ ସୃଷ୍ଟି ହୋଇଥିଲା । ରାତି ୩ଟା ବେଳେ କେନାଲ କର୍ତୁପକ୍ଷ ମଙ୍ଗଳପୁର ହାତୀ ବ୍ୟାରେଜ ଗେଟ ବନ୍ଦ କରି ଦେଇଥିଲେ । ଡୁଙ୍ଗୁରିପଡାର ମଧୁସୂଦନ ଠାକୁର, ସୋମନାଥ ଠାକୁର, ସୁଦର୍ଶନ ଠାକୁରଙ୍କ ଘରେ ପାଣି ପସିଯାଇଥିଲା । ସେହିପରି ୨ ଜଣ ଚାଷୀଙ୍କ ୩ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଜମିରେ ପାଣି କମିବା ପରେ ପ୍ରକୃତ କ୍ଷୟକ୍ଷତି ଆକଳନ କରାଯାଇପାରିବ ବୋଲି ବଡକରଲାକୋଟ ଆରଆଇ ପ୍ରକାଶ କରିଛନ୍ତି ।କେନାଲ ଭାଙ୍ଗିବା ସ୍ଥାନରେ ଦୀର୍ଘ ଦିନରୁ ପାଣି ଲିକ ହେଉଥିଲା ହେଲେ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଭକି ପରିସ୍ଥିତି ସୃଷ୍ଟି ହେଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମଙ୍ଗଳପୁର ଏସଡିଓ ରଘୁନାଥ ମୁଣ୍ଡା ଏବଂ ଏସଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘାଇ ମରାମରି କାର୍ଯ୍ୟ ଆରମ୍ଭ କରାଯାଇଛି ।
ପ୍ରକାଶ ଥାଉକି, ଗତ ୩ ତାରିଖରେ ଇନ୍ଦ୍ରାବତୀ ବାମକେନାଲ ଧର୍ମଗଡ଼ ବଗାଡ଼ ନିକଟରେ ଭୁଶୁଡ଼ିଥିଲା ।