-
ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲେ
ଭଦ୍ରକ/କଟକ, ରେଗିଂ ଯୋଗୁଁ ବିଷପାନ କରି ଗୁରୁତର ହୋଇଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ଏସସିବି ମେଡିକାଲରେ ମୃତ୍ୟୁ ଘଟିଛି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ଥିଲେ ଆଶୁତୋଷ ମଲ୍ଲିକ । ଶୁକ୍ରବାର ଦିନ ଛାତ୍ର ଜଣକ ରାଗିଂ ଯୋଗୁଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ତାଙ୍କୁ ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଗତକାଲି ରାତିରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ମିଳିଥିବା ଚିଠି, ପରିବାର ଲୋକଙ୍କ ବୟାନ ଓ କଲେଜ କର୍ତୃପକ୍ଷଙ୍କ ସ୍ପଷ୍ଟିକରଣ ପରେ ଛାତ୍ରଟି କେତେକ ବାହାର ଯୁବକଙ୍କ ଦ୍ଵାରା ରେଗିଂର ଶିକାର ହୋଇଥିବା ବିଷୟ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଛାତ୍ରଙ୍କ ମୃତ୍ୟୁ ପରେ ସେ ପଢୁଥିବା କଲେଜକୁ ଆଜି ଦିନକ ପାଇଁ ବନ୍ଦ ରଖିଛନ୍ତି କଲେଜ କର୍ତୃପକ୍ଷ ।