
କୋଲକାତା, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଶାଳୀ ମେନକା ଗମ୍ଭୀରଙ୍କୁ ବ୍ୟାଙ୍କକ ଯିବାକୁ ଦିଆଯାଇ ନାହିଁ । ସେ ବ୍ୟାଙ୍କକ ଯାତ୍ରା କରିବା ପାଇଁ ଶନିବାର ଦିନ କୋଲକାତା ବିମାନ ବନ୍ଦର ଠାରେ ପହଂଚିବା ପରେ ତାଙ୍କୁ ଅଟକାଇ ଦିଆଯାଇଛି ।
ଶନିବାନ ସଂଧ୍ୟାରେ ଥାଇଲାଣ୍ଡ ଯିବାକୁ ବାହାରିଥିବା ଅଭିଷେକଙ୍କ ଶାଳୀ ବିମାନ ବନ୍ଦରରେ ପହଂଚିଥିଲେ । ରାତ୍ରୀ 9.10ରେ ତାଙ୍କର ବିମାନ ନିର୍ଧାରିତ ଥିବାରୁ ସେ ସଂଧ୍ୟା 7.45ରେ ସେ ବିମାନ ବନ୍ଦର ଠାରେ ପହଂଚିଥିଲେ । ଏୟାରପୋର୍ଟର ସୁରକ୍ଷା କ୍ୟାମେରାରେ ମେନକାଙ୍କ ଫଟୋ ଆସିବା ପରେ ସେଠାରେ ସିକ୍ୟୁରିଟି ଆଲାରାମ ବାଜିଥିଲା । ଏହା ପରେ ସେଠାରେ ମୁତୟନ ଥିବା ସିଆଇଏସଏଫର ଜବାନ ଓ ବିମାନର ଅଧିକାରୀ ମାନଙ୍କ ଟିମ ତାଙ୍କୁ ଘେରି ନେଇଥିଲେ ଓ ଏକ ପ୍ରକୋଷ୍ଠରେ ବସାଇଥିଲେ ।
ଅଧିକାରୀ ମାନେ ତାଙ୍କ ସୂଚନା ଦେଇଥିଲେ ଯେ ଇଡି ତାଙ୍କ ବିରୁଦ୍ଧରେ ଲୁକ ଆଉଟ ସାର୍କୁଲାର ଜାରୀ କରିଛି । ତେଣୁ ତାଙ୍କୁ ଦେଶ ଛାଡିବାରୁ ରୋକା ଯାଇଛି । ଏହାର କିଛି ସମୟ ପରେ ପ୍ରବର୍ତନ ନିର୍ଦେଶାଳୟର ଟିମ ସେଠାରେ ପହଂଚିଥିଲା । ଇଡି ଅଧିକାରୀ ମାନେ ତାଙ୍କ ହାତରେ ନୋଟିସ ପ୍ରଦାନ କରିବା ସହ ତାଙ୍କୁ ଆଗାମୀ ସପ୍ତାହ ପଚାରା ଉଚୁରା ପାଇଁ ଡାକିଛନ୍ତି ।
ଅଭିଷେକ ବାନାର୍ଜୀଙ୍କ ଶାଳୀ ମେନକାଙ୍କୁ ବିମାନ ବନ୍ଦରରେ ଅଟକା ଯିବା ପରେ ତୃଣମୂଳ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛି । ପାର୍ଟୀର ରାଜ୍ୟସଭା ସାଂସଦ ଶାନ୍ତନୁ ସେନ କହିଛନ୍ତି ଯେ ଏହାର ଅସଲ ଉଦ୍ଦେଶ୍ୟ ଅଭିଷେକ ବାନାର୍ଜୀଙ୍କୁ ଭୟଭୀତ କରିବା ।
ଉଲ୍ଲେଖନୀୟ ଯେ କୋଇଲା ତସ୍କରୀ ମାମଲାର ମାଷ୍ଟରମାଇଣ୍ଡ ହେଉଛି ଅନୂପ ମାଝୀ ଓରଫ ଲାଲା । ସେ ଅଭିଷେକ ବାନାର୍ଜୀଙ୍କ ଖୁବ ପାଖ ଲୋକ ବୋଲି କୁହାଯାଏ । ଲାଲାର ବ୍ୟାଙ୍କ ଖାତାରୁ କୋଇଲା ଚୋରାଚାଲାଣ ମାମଲାର ଶହ ଶହ କୋଟି ଟଙ୍କାର ହେରଫେର ବିଦେଶକୁ ହୋଇଥିବାର ଅଭିଯୋଗ ରହିଛି । ଅଭିଷେକଙ୍କ ପତ୍ନୀ ରୁଚିରା ଓ ତାଙ୍କର ଶାଳୀ ମେନକାଙ୍କ ବ୍ୟାଙ୍କକ ସ୍ଥିତ ବ୍ୟାଙ୍କ ଖାତାର ବ୍ୟବହାର ଏଇଥି ପାଇଁ ହୋଉଛି । ଅଭିଷେକଙ୍କ ସ୍ତ୍ରୀ ଓ ଶାଳୀ ବ୍ୟାଙ୍କକରେ ବଢିଛନ୍ତି ଓ ସେମାନଙ୍କର ମାତା ପିତା ସେଠାରେ ରହନ୍ତି ।