-
ମାଷ୍ଟରମାଇଣ୍ଡ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କଲା ଏସଏଫଆଇଓ
ନୂଆଦିଲ୍ଲୀ, ଜାଲ ଚାଇନା କମ୍ପାନୀ ବିରୋଧରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପ୍େଟମ୍ବର ୮, ୨୦୨୨ରେ ଗୁରଗାଓଁ ଠାରେ ଥିବା ଜିଲିଆନ ହଂକଂ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଜିଲିଆନ କନସଲଟାଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ, ପୂର୍ବରୁ ହାଇଦ୍ରାବାଦରେ ତାଲିକାଭୁକ୍ତ ହୋଇଥିବା ହ୍ୟୁସିସ କନସଲ୍ଟିଂ ଲିମିଟେଡ ଏବଂ ବାଙ୍ଗାଲୋରରେ ଥିବା ଫିନିନିଟୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ଏମସିଏ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା । ଚଢ଼ାଉ ପରେ ଗମ୍ଭୀର ଠକେଇ ତଦନ୍ତ କାର୍ଯ୍ୟାଳୟ (ଏସଏଫଆଇଓ) ପକ୍ଷରୁ ଶନିବାର ଅର୍ଥାତ୍ ୧୦ ସେପ୍େଟମ୍ବର, ୨୦୨୨ରେ ଏହି ଘଟଣାର ମାଷ୍ଟରମାଇଣ୍ଡ ମିଃ ଡୋର୍ସେଙ୍କୁ ଗିରଫ କରାଯାଇଛି ।
ମିଃ ଡୋର୍ସେ ଜିଲିଆନ ଇଣ୍ଡିଆ ଲିମିଟେଡର ବୋର୍ଡରେ ଅଛନ୍ତି ଏବଂ ସେ ଭାରତରେ ଚୀନ ସହ ସମ୍ପର୍କ ଥିବା ସଂଖ୍ୟାଧିକ ଜାଲ ବା ନକଲି କମ୍ପାନୀ ଖୋଲିବାର ଏକ ବଡ଼ ରାକେଟ୍ ଚଳାଉଥିଲେ । ଏହି ରାକେଟରେ ସେ ମାଷ୍ଟରମାଇଣ୍ଡ ଭାବେ ଜାଲ କମ୍ପାନୀର ବୋର୍ଡଗୁଡ଼ିକରେ ନକଲି ନିର୍ଦ୍ଦେଶକମାନଙ୍କୁ ନିଯୁକ୍ତି ଦେଇଥିଲେ । ରେଜିଷ୍ଟ୍ରାର ଅଫ କମ୍ପାନୀଜ୍ରେ ଦିଆଯାଇଥିବା ରେକର୍ଡ ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତି ମିଃ ଡୋର୍ସେ ନିଜକୁ ହିମାଚଳ ପ୍ରଦେଶ ମଣ୍ଡିର ଜଣେ ନିବାସୀ ଭାବେ ଦର୍ଶାଇଥିଲେ ।
ଆରଓସି ଦିଲ୍ଲୀ ଦ୍ୱାରା କରାଯାଇଥିବା ତଦନ୍ତ ଏବଂ ଏକକାଳୀନ ଚଢ଼ାଉରୁ ମିଳିଥିବା ତଥ୍ୟ ଅନୁଯାୟୀ, ନକଲି ନିର୍ଦ୍ଦେଶକମାନଙ୍କୁ ବିଭିନ୍ନ ଜାଲ କମ୍ପାନୀର ବୋର୍ଡରେ କାମ କରିବା ଲାଗି ଜିଲିଆନ ଇଣ୍ଡିଆ ଲିମିଟେଡ ଅର୍ଥ ପ୍ରଦାନ କରୁଥିଲା । ତଦନ୍ତ ସମୟରେ ଘଟଣାସ୍ଥଳରୁ କମ୍ପାନୀର ସିଲ ଏବଂ ନକଲି ନିର୍ଦ୍ଦେଶକମାନଙ୍କ ଡିଜିଟାଲ ଦସ୍ତଖତ ଥିବା ବାକ୍ସଗୁଡ଼ିକ ମିଳିଛି । ଭାରତୀୟ କର୍ମଚାରୀମାନେ ଏକ ଚାଇନା ଇନଷ୍ଟାଣ୍ଟ ମେସେଜିଂ ଆପ୍ ମାଧ୍ୟମରେ ସେମାନଙ୍କର ଚୀନା ସହଯୋଗୀଙ୍କ ସହିତ ସମ୍ପର୍କ ସ୍ଥାପନ କରୁଥିଲେ । ହ୍ୟୁସିସ ଲିମିଟେଡ ମଧ୍ୟ ଜିଲିଆନ ଇଣ୍ଡିଆ ଲିମିଟେଡ ପକ୍ଷରୁ କାର୍ଯ୍ୟ କରୁଥିବା ପ୍ରମାଣ ମିଳିଛି । ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳିଛି ଯେ ଜିଲିଆନ ହଂକଂ ଲିମିଟେଡ ସହିତ ହ୍ୟୁସିସ ଲିମିଟେଡର ଏକ ରାଜିନାମା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଏହି ଜାଲ କମ୍ପାନୀମାନେ ଗମ୍ଭୀର ଆର୍ôଥକ ଅପରାଧରେ ଲିପ୍ତ ରହିଥିଲେ ଯାହାକି ଦେଶର ଆର୍ôଥକ ସୁରକ୍ଷା ପ୍ରତି ବିପଦ ଦୃଷ୍ଟି କରୁଥିଲା ।
ଜିଲିଆନ କନସଲଟାଣ୍ଟସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଏବଂ ଅନ୍ୟ ୩୨ଟି କମ୍ପାନୀ ବିରୋଧରେ ତଦନ୍ତ କରିବା ଲାଗି ୯ ସେପ୍େଟମ୍ବର, ୨୦୨୨ରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏସଏଫଆଇଓକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲିଆନ କନସଲଟାଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ମିଃ ଡୋର୍ସେଙ୍କ ସମେତ ଅନ୍ୟ ଦୁଇ ଜଣ ନିର୍ଦ୍ଦେଶକ ରହିଛନ୍ତି । ତଦନ୍ତ ସମୟରେ ମିଳିଥିବା ତଥ୍ୟ ଅନୁଯାୟୀ ମିଃ ଡୋର୍ସେ ଦିଲ୍ଲୀ ଏନସିଆରରୁ ବିହାରର ଏକ ଉପାନ୍ତ ଅଞ୍ଚଳକୁ ଚାଲି ଯାଇଥିଲେ ଏବଂ ସେଠାରୁ ସଡ଼କ ମାର୍ଗରେ ଭାରତରୁ ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସୂଚନା ମିଳିବା କ୍ଷଣି, ଏସଏଫଆଇଓ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା ଏବଂ ଏହି ଦଳକୁ ତୁରନ୍ତ ସେହି ଉପାନ୍ତ କ୍ଷେତ୍ରକୁ ପଠାଯାଇଥିଲା । ୧୦ ସେପ୍େଟମ୍ବର, ୨୦୨୨ ସନ୍ଧ୍ୟାରେ ମିଃ ଡୋର୍ସେକୁ ଗିରଫ କରାଯିବା ସହ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଏସଏଫଆଇଓ ମିଃ ଡୋର୍ସେକୁ ରିମାଣ୍ଡରେ ନେଇଛି ।