ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପାଲ୍ଲୀ ପଞ୍ଚାୟତ ପୁଟୁମପାଲି ନିକଟସ୍ଥ ପୋଟେରୁ ନଦୀରେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଆଜି ସକାଳେ ଠାବ ହୋଇଥିଲା। ନିଖୋଜ ହେବାର ୩ ଦିନ ପରେ ନଦୀରେ ଯନ୍ତ୍ରୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ୩ କିଲୋମିଟର ଦୂର ଗୋରଖପାଲ୍ଲୀ ଗ୍ରାମ ନଦୀ ମୁହାଣରେ ଆଜି ସକାଳ ୮ ଟା ସମୟରେ ଠାବ ହୋଇଥିଲା । ଶବ ଠାବ ହେବା ପରେ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ସେହି ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ, ଉଦ୍ଧାର ପୂର୍ବରୁ ପୁଣି ଥରେ ମୃତଦେହ ପ୍ରବଳ ଜଳ ସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲା।
ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳ ସ୍ରୋତ ପ୍ରବଳ ଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଶବ ଉଦ୍ଧାର ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଶବ ଅଗ୍ନିଶମ କର୍ମଚାରିଙ୍କ ସହ ଲୁଚ କାଳି ଖେଳୁଛି।
ସୂଚନାଯୋଗ୍ୟ, ପଡ଼ିଆ ବ୍ଲକ ଅନ୍ତର୍ଗତ ପୁଟୁମପଲ୍ଲୀ ନଦୀ ଘାଟରେ ଡ଼ଙ୍ଗା ବୁଡ଼ି ବ୍ରିଜ କାମ କରୁଥିବା ଠିକା ସଂସ୍ଥାର କନିଷ୍ଠ ଯନ୍ତ୍ରୀ କୈଳାସ ସାହୁ ନିଖୋଜ ହୋଇଥିଲେ। ଡ଼ଙ୍ଗାରେ ପେଣ୍ଡୁଲୁବାଇ ଗାଁରୁ ପୁଟୁମପଲ୍ଲୀ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡିବାରୁ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଥିଲେ। ଘଟଣା ସମୟରେ ଡଙ୍ଗାରେ ମୋଟ ୧୪ ଜଣ ଯାତ୍ରୀ ଥିଲେ। ଘଟଣାଟି ଶୁକ୍ରବାର ସନ୍ଧ୍ୟାରେ ଘଟିଥିଲା। ନିଖୋଜ ଯନ୍ତ୍ରୀଙ୍କ ଘର ଉତ୍ତର ପ୍ରଦେଶ ରାଜ୍ୟରେ ବୋଲି ଜଣାପଡିଛି। ପଡ଼ିଆ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।