ଭୁବନେଶ୍ୱର,ରାଜ୍ୟଗୁଡ଼ିକରେ ବିଜ୍ଞାନ ଓ ବୈଷୟିକ ପରିମଣ୍ଡଳର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଉପରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି । ଅହମଦାବାଦରେ ଆୟୋଜିତ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଜ୍ଞାନ ଓ ବୈଷୟିକ ଗବେଷଣା, ଅଭିନବତ୍ୱ ଓ ଉଦ୍ୟମିତା କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ପାଇଁ ମତ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟଗୁଡ଼ିକର ଇନୋଭେସନ୍ ସିଷ୍ଟମ ଏବଂ କେନ୍ଦ୍ର ଇନୋଭେସନ୍ ସିଷ୍ଟମର ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦେବା ସହିତ ଘରୋଇ ଉଦ୍ୟୋଗଗୁଡ଼ିକର ସହଭାଗିତା ନିମନ୍ତେ ପରାମର୍ଶ ଦେଇଛନ୍ତି । ବିଜ୍ଞାନ ଓ କାରିଗରୀ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଶିଳ୍ପାନୁଷ୍ଠାନଗୁଡ଼ିକ ସିଏସ୍ଆର ପାଣ୍ଠିର କିଛି ଅଂଶ ବ୍ୟୟ କରିବା ସାଙ୍ଗକୁ ପ୍ରତି ରାଜ୍ୟ ଓ କେନ୍ଦ୍ରରେ ଏଥି ପାଇଁ ଏକ କର୍ପସ୍ ଫଣ୍ଡ ସୃଷ୍ଟି ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନକୁ ବାୟୋ-ଇନ୍କ୍ୟୁବେସନ୍ ସେଂଟର ଓ ଷ୍ଟାର୍ଟଅପ୍ ଗବେଷଣା ନିମନ୍ତେ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ଓ ପ୍ରତିଷ୍ଠାନ ଅଧୀନରେ ୨୪ଟି ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ । ଅନୁରୂପ ଭାବରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଭାବବିନିମୟକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ ସେଂଟର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଇବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟର ୫୦୦ଟି ବିଦ୍ୟାଳୟରେ ଇନୋଭେସନ୍ ହବ୍ ଖୋଲିବାର ଯୋଜନା ରହିଛି ଓ ୨୦୨୩ ସୁଦ୍ଧା ୨୦୦ କୋଟି ଟଙ୍କା ବ୍ୟୟରେ ୫୦ଟି ହବ୍ ଖୋଲାଯିବ ବୋଲି କହିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀର ଲିଡରସିପ୍ ସେସନ୍ରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅଂଶଗ୍ରହଣ କରିଥିଲେ । ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବିଜ୍ଞାନ ଓ ବୈଷୟିକ ଦୃଶ୍ୟପଟ-୨୦୪୭, ୨୦୩୦ ସୁଦ୍ଧା ଘରୋଇ ଉଦ୍ୟୋଗଗୁଡ଼ିକରେ ଗବେଷଣା ନିମନ୍ତେ ଦୁଇଗୁଣା ପାଣ୍ଠି ବିନିଯୋଗ, କୃଷକଙ୍କ ଆୟବୃଦ୍ଧି ଦିଗରେ ବୈଷୟିକ ହସ୍ତକ୍ଷେପ, ସମସ୍ତ ପାଇଁ ସ୍ୱଚ୍ଛ ଶକ୍ତି ସମ୍ବଳ ଓ ଗଭୀର ସମୁଦ୍ର ମିଶନ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
କେନ୍ଦ୍ର ବିଜ୍ଞାନ ଓ ବୈଷୟିକ, ଭୂ-ବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ୍, ଗୁଜୁରାଟର ଶିକ୍ଷା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତୁଭାଇ ଏସ୍. ବାଘାନୀଙ୍କ ସମେତ ମନ୍ତ୍ରାଳୟର ସମସ୍ତ ବିଭାଗର ସଚିବ, ବିଭିନ୍ନ ରାଜ୍ୟର ବିଭାଗୀୟ ସଚିବ, ଶିଳ୍ପପତି, ଶିକ୍ଷାବିତ୍, ବୈଜ୍ଞାନିକ, ଉଦ୍ୟୋଗ କର୍ମକର୍ତ୍ତା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଅଂଶଗ୍ରହଣ କରି ମତବିନିମୟ କରିଥିଲେ । ଓଡ଼ିଶାରୁ ବିଭାଗର ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର ଓ ବରିଷ୍ଠ ବୈଜ୍ଞାନିକ ଡ. ଏଲ୍.ଏନ୍. ପାଢ଼ୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଥିଲେ ।