-
ହାଇ ପାୱାର୍ କମିଟି ଓ ସିଏସିଏଲବିର ପରାମର୍ଶକୁ କଡ଼ାକଡ଼ି ପାଳନ କରିବା ପାଇଁ ଅନୁରୋଧ
-
ନାଲକୋରେ ନିଯୁକ୍ତ ଠିକା ଶ୍ରମିକଙ୍କ ମଜୁରୀ ସୁନିଶ୍ଚିତ କରାଯାଉ
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖି ହାଇ ପାୱାର୍ କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ(ସିଏସିଏଲବି) ଦ୍ୱାରା ଦିଆଯାଇଥିବା ପରାମର୍ଶକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲା ନାଲକୋର କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବାକୁ ଉଭୟ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଠିକା ଶ୍ରମିକ (ନିୟମାବଳୀ ଏବଂ ଅବୋଲେସନ୍) ୧୯୭୦ ଅଧିନିୟମ ଧାରା ୧୦ ଅନୁସାରେ କୋଇଲା ବିକ୍ରି, କୋଇଲା ଲୋଡିଂ ଏବଂ ଅନଲୋଡିଂ, ଓଭରବୋର୍ଡ ଅପସାରଣ ଇତ୍ୟାଦିରେ ଠିକା ଶ୍ରମିକ ନିୟୋଜନ ନିଷେଧ ଅଟେ । କିନ୍ତୁ ସେହି ଅଧିନିୟମର ଧାରା ୩୧ରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏବଂ ପ୍ରତିବନ୍ଧକ ଅନୁଯାୟୀ ବିଶେଷ କ୍ଷେତ୍ରରେ ଅବ୍ୟାହତି ପ୍ରଦାନ କରାଯାଇପାରେ । ଅନୁଗୋଳ ଜିଲ୍ଲାରେ କୋଇଲା ଖଣିରେ ନିୟୋଜିତ ଅନେକ ଶିଳ୍ପାନୁଷ୍ଠାନ ଏହି ସୁବିଧା ମାଧ୍ୟମରେ ଠିକା ଶ୍ରମିକ ନିୟୋଜିତ କରୁଛନ୍ତି । ୨୦୧୯ ମଇ ୨୯ରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ୍ ଇଣ୍ଡିଆ ଦ୍ୱାରା ଗଠନ ହୋଇଥିବା ହାଇପାୱାର୍ଡ କମିଟିର ପରାମର୍ଶ ତଥା କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡର ସୁପାରିଶ ଅନୁଯାୟୀ ଏନଟିପିସିର କୋଇଲା ଖଣି ବ୍ଲକ ଗୁଡିକୁ ୫ ବର୍ଷ ପାଇଁ ଉପଯୁକ୍ତ ଆଇନର ଧାରା ୧୦ର କାର୍ଯ୍ୟକାରିତାରୁ ଛାଡ ପ୍ରଦାନ କରାଯାଇଥିଲା ।
ଅନୁଗୋଳରେ କୋଇଲା ଖଣିରେ ନିୟୋଜିତ ଆଉ ଏକ ବୃହତ ଶିଳ୍ପ ନାଲକୋ ମଧ୍ୟ ଖଣି ମନ୍ତ୍ରଣାଳୟ ମାଧ୍ୟମରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟକୁ ଉପରୋକ୍ତ ଧାରା ୩୧ ଅନୁଯାୟୀ ଛାଡ ପାଇଁ ଆବେଦନ କରିଛି । କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ ମଧ୍ୟ ଉତ୍କଳ ଡ଼ି ଏବଂ ଇ କୋଲ୍ ବ୍ଲକ ପାଇଁ ନିୟୋଜିତ ନାଲକୋର ପ୍ରତିନିଧି, ଏମଡ଼ିଓଙ୍କ ସହ ଅନେକ ଥର ବୈଠକ କରିଛନ୍ତି । ଏହା ଗାଇଡଲାଇନ ସତ୍ତ୍ୱେ କିଛି ଠିକାଦାର ଓ ଏମଡ଼ିଓ ନାଲକୋରେ ନିୟୋଜିତ ଠିକା ଶ୍ରମିକଙ୍କୁ ହାଇପାୱାର୍ କମିଟିର ପରାମର୍ଶ ଅନୁସାରେ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହା ଚିନ୍ତାଜନକ । ଏହାକୁ ଦୃଷ୍ଟିରେ ରଖି ନାଲକୋ କର୍ତ୍ତୃପକ୍ଷଙ୍କ ଦ୍ୱାରା କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କୁ ଠିକାଦାରଙ୍କ ଦ୍ୱାରା କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡର ପରାମର୍ଶନୁସାରେ ସେମାନଙ୍କ ପାରିଶ୍ରମିକ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।