ଭୁବନେଶ୍ୱର, ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି । ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ୟୁନିଟ୍-୮ର ନାରାୟଣୀ ବସ୍ତି ଅଂଚଳରେ ଚାଲିଥିବା ନିଶା କାରବାରକୁ ବିରୋଧ କରିବାରୁ ପି ସୁବ୍ରତ ରାଓ ଓରଫ୍ ଚନ୍ଦୁ ନାମକ ଜଣେ ଯୁବକଙ୍କୁ ଗତ ରାତିରେ ହତ୍ୟା କରାଯାଇଛି । ଆକ୍ରମଣରେ ଆଉ ୨ ଯୁବକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଚନ୍ଦୁଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ, ବସ୍ତି ଅଂଚଳରେ ଅବାଧ ନିଶା କାରବାର ଚାଲିଥିଲା । ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ସମୟ କାଟି ଫେରିଥିବା ଚନ୍ଦୁ ଏହାକୁ ବିରୋଧ କରି ଆସୁଥିଲେ । ଫଳରେ ନିଶା ବେପାରୀମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଥିଲେ । ଗତ ରାତିରେ ଚନ୍ଦୁଙ୍କୁ ସଂଘବଦ୍ଧ ହୋଇ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଚନ୍ଦୁଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଚନ୍ଦୁଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ନିଶା କାରବାର ନେଇ ପୋଲିସକୁ ଖବର ଦେବାରୁ ରାଗ ରଖି ନିଶା ବେପାରୀମାନେ ତାଙ୍କୁ ହତ୍ୟା କରିଛନ୍ତି । ସେପଟେ ଚନ୍ଦୁଙ୍କ ସହ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଜଣେ ୟୁବକଙ୍କ କହିବା ଅନୁସାରେ, ହତ୍ୟା ପଛରେ ଦେହ ବ୍ୟବସାୟୀର ଲିଙ୍କ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।