
ରାଉରକେଲା, ରାଜ୍ୟରେ ହାତୀ ମୃତ୍ୟୁ କ୍ରମାଗତ ଭାବେ ବଢି ଚାଲିଛି । କେତେବେଳେ ଶିକାରୀ ଗୁଳିରେ ହାତୀର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଫାଶରେ ପଡି ହାତୀଙ୍କ ମୃତ୍ୟୁ ଘଟୁଛି, ଆଉ କେତେବେଳେ ରେଳ ଲାଇନ ପାର୍ ହେଉଥିବା ବେଳେ ହାତୀଙ୍କ ମୃତ୍ୟୁ ଘଟୁଛି । ଅନୁରୂପ ଭାବେ ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ ଅନ୍ତର୍ଗତ ଟୁଙ୍ଗୁରୀ ଜଙ୍ଗଲରୁ ଠାବ ହୋଇଛି ଏକ ଦନ୍ତା ହାତୀର କ୍ଷତବିକ୍ଷତ ମୃତଦେହ । ଖବର ପାଇ ବନବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳେ କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ହାତୀର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହାତୀର ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ମାରଣାସ୍ତ୍ରରେ କ୍ଷତ ଚିହ୍ନ ରହିଛି । ତେଣୁ ଗତକାଲି ରାତିରେ ଦନ୍ତାଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି । ତେବେ କିପରି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ଘଟିଛି ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ବନ ବିଭାଗ ପକ୍ଷରୁ ଏନେଇ ଛାନଭିନ୍ ଜାରୀ ରହିଛି ।