ବଲାଙ୍ଗିର, ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗର ସଭାଗୃହ ମଧ୍ୟରେ “ନୀଳ ଆକାଶ ପାଇଁ ସ୍ଵଚ୍ଛ ବାୟୁ” ଦିବସ ପାଳନ କରାଯାଇଛି। ଉକ୍ତ ଦିବସର ଆଭିମୁଖ୍ୟର ସ୍ପଷ୍ଟତା ଦେବା ଉଦ୍ଦେଶ୍ୟରେ ବଲାଙ୍ଗିରର ଜାତୀୟ ସ୍ଵାସ୍ଥ୍ୟ ମିଶନର ପ୍ରତ୍ୟକ୍ଷ ତତ୍ଵାବଧାନରେ ବିଷୟବସ୍ତୁକୁ ନେଇ କିଛି କୌଶଳୀକ ତଥା ସ୍ଵାସ୍ଥ୍ୟ ବୈଜ୍ଞାନିକ କୋଣାନୁସାରେ କିଛି ବିଶିଷ୍ଟ ବିଷୟ ଉପରେ ଆଲୋଚନା କରାଯାଇଥିଲା, ଯାହାର କିଂଚିତ ସମସ୍ୟା ଗୁଡିକୁ ଏଡେଇ ଦିଆଯାଇ ପାରିଲେ ଆମେ ଏକ ସ୍ଵଚ୍ଛ-ବାୟୁକୁ ଆବରଣ କରିବାରେ ସହାୟକ ହୋଇପାରିବା ବୋଲି ଜନସ୍ଵାସ୍ଥ୍ୟ ଅଧିକାରୀ ଡା. ଦିବ୍ୟ କିଶୋର ପତି ଆଲୋଚନା କରିଥିବା ବେଳେ କିଛି ନୀତି ଗୁରୁତ୍ବପୂର୍ଣ୍ଣ ବିକଳ୍ପ ଦିଗ ଯଥା – ଅଳ୍ପ ଦୂର ଯାତ୍ରା ପାଇଁ ମୋଟର ଯାନ ବଦଳରେ ପାଦରେ ଚାଲି ଚାଲି ଯିବା କିମ୍ବା ଅତିବ ଜରୁରୀ ସମୟରେ ସାଇକେଲ ବ୍ୟବହାର କରିବା, ଜଙ୍ଗଲ ସୁରକ୍ଷା ଓ ଗଛ ଲଗାଇ ତାର ସୁରକ୍ଷା ଦେବା, ପରିବେଶ ଅନୁକୂଳ ଯାନ ମାନ ବ୍ୟବହାର କରିବା, ଶକ୍ତିର ବିକଳ୍ପ ମାଧ୍ୟମକୁ ଆପଣାଇବା, ନଷ୍ଟ ଆବର୍ଜନାକୁ ଅଯଥାରେ ନ ପୋଡିବା କିମ୍ବା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଇତ୍ୟାଦି ଉପରେ ଡା.କୁବେର ଚନ୍ଦ୍ର ମହନ୍ତ (ଅତିରିକ୍ତ ଜନସ୍ଵାସ୍ଥ୍ୟ ଅଧିକାରୀ) ଡା. ଅନିତା ମିଶ୍ର (ଅତିରିକ୍ତ ଜନସ୍ଵାସ୍ଥ୍ୟରୋଗ ନିୟନ୍ତ୍ରଣ ) ଯୋଗ ଦେଇ ଏହା ଉପରେ ସବିଶେଷ ଆଲୋଚନା କରି ଏହାଉପରେ ଏକ ଯୋଜନା ମୁତାବକ କାମ କରିବାକୁ ଜିଲ୍ଲା ପ୍ରଶାସନ ତଥା ଓଡିଶା ସରକାରଙ୍କ ସାହାଯ୍ୟ ଲୋଡ଼ିଥିଲେ।
ଉକ୍ତ ସଭାରେ ସ୍ଵାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ସତୁରି ଜଣ ମହିଳା ଆରୋଗ୍ୟ ସମିତି ସଭ୍ୟା, ଆଶା ମା ଗଣ, ସ୍ଵାସ୍ଥ୍ୟ ଅନୁଷ୍ଠାନର ସଭ୍ୟ-ସଭ୍ୟା ମାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହାୟକ ହୋଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଜାତୀୟ ସ୍ଵାସ୍ଥ୍ୟ ମିଶନର ଅତିରିକ୍ତ ମେନେଜର ରାମାନୁଜ ପଣ୍ଡା ବିଷୟବସ୍ତୁକୁ ଗୁରୁତ୍ଵ ଦେଇ ଏହା ଉପରେ ସଭିଏଁ କାମ କରିବାକୁ ଅନୁରୋଧ କରିବା ସଙ୍ଗେ ସାଙ୍ଗେ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।