
ପୁରୀ, ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢାଯିବ । ବାଲି କାଢିବା ନେଇ ଆଜି ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଭୂମି ପୂଜନ କରାଯାଇଛି । ଏହି କାମ ତିନି ବର୍ଷରେ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ଘରୋଇ କମ୍ପାନୀକୁ ଏହି ଟେଣ୍ଡର ଦିଆଯାଇଛି । ବିଡିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ଏହି ଟେଣ୍ଡର ମିଳିଛି । ଗର୍ଭଗୃହରୁ ବାଲି କଢାଯିବା କାର୍ଯ୍ୟରେ ଏଏସଆଇର କର୍ମଚାରୀ ମଧ୍ୟ ନିୟୋଜିତ ହେବେ । ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ନିର୍ମାଣ ଆରମ୍ଭ ହୋଇଛି । ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ଵାର ପଟୁ ଗର୍ତ କରି ବାଲି କଢ଼ାଯିବ । ବାଲି କଢ଼ାଯିବା ନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଣ୍ଡେଂଟ ଅରୁଣ ମଲ୍ଲିକ ।
ଏନେଇ ଗଣମାଧ୍ୟମକୁ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଆଜି ଏହି କାମ ଆରମ୍ଭ ହୋଇଛି । ବାଲି କଢାଯିବା ସହ ଜଗମୋହନକୁ କାର୍ଯ୍ୟକ୍ଷମ କରାଯିବ । ଯାହାଦ୍ଵାରା ସାଧାରଣ ଜନତା ଏହାର ଦର୍ଶନ କରିପାରିବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ କାରୁକାର୍ଯ୍ୟ ଭରା ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଗର୍ଭଗୃହରେ ବାଲି ଭର୍ତି କରାଯାଇଥିଲା ।