କନ୍ଧମାଳ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମପଞ୍ଚାୟତର ପୁଟୁକିପାଲି ଜଙ୍ଗଲରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର, ଅନର କିଲିଂ ଘଟଣାର ରହସ୍ଯ ଉନ୍ମୋଚିତ ହୋଇଛି । ଶବ ଉଦ୍ଧାରର ଦୁଇଦିନ ମଧ୍ୟରେ ହତ୍ୟାକାଣ୍ଡର ଗୁମର ଖୋଲିଛି ବାଲିଗୁଡ଼ା ପୋଲିସ। ଏହା ଏକ ପ୍ରେମଜନିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ସାତଜଣଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଛି ପୋଲିସ।
ଗତ ୨୬ ତାରିଖରେ ମୃତକ ଶୁକଦେବ ରଣା ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଅଞ୍ଚଳକୁ ପ୍ରେମିକା ସହ ଦେଖା କରିବାକୁ ଆସିଥିଲେ। ହେଲେ ପୂର୍ବ ଯୋଜନା ମୁତାବକ ପ୍ରେମିକାଙ୍କ ସମ୍ପର୍କୀୟ ଲୋକେ ଶୁକଦେବଙ୍କୁ ମାଡ଼ ମାରିବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଶବକୁ ଏକ ଅଖାରେ ପୁରାଇ ପୁଟକିପାଲି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ଶୁକଦେବଙ୍କର କୌଣସି ସନ୍ଧାନ ନପାଇ ଥାନାରେ ଏତଲା ଦେଇଥିଲେ । ପୁଟୁକିପାଲି ଜଙ୍ଗଲରେ ଏକ ଶବ ପଡ଼ିଥିବା ଖବର ପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରିଥିଲା। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ବାଲିଗୁଡ଼ା ଥାନାରେ ଏକ ମାମଲା ୧୯୨/୦୫.୦୮.୨୦୨୨ ରୁଜୁ କରି ଦଫା ୩୦୨,୧୨୦,୩୪ ଧାରାରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ, ତଳିପଡ଼ା ଅଞ୍ଚଳର ଦୁସାଶନ ମଲ୍ଲିକ (୪୦), ନୀଳବନ୍ତ ମଲ୍ଲିକ (୨୧),ଗିରିଶ ଚନ୍ଦ୍ର ମଲ୍ଲିକ (୨୨), ଯୋଗେନ୍ଦ୍ର ମଲ୍ଲିକ (୪୦), ଉତ୍କଳ ମଲ୍ଲିକ (୧୯) ହୋଇଥିବା ବେଳେ ପୁଟୁକିପାଲି ଗ୍ରାମର ସୁଦୀପ ସେଠ୍ (୨୨) ଏବଂ କବିରାଜ ଠେଲା (୨୧) ବୋଲି ପୋଲିସ୍ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ୍।