
ପୁରୀ, ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଭଗବାନ ବାମନଙ୍କର ଜନ୍ମୋତ୍ସବ । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ଵୟଂ ମହାବିଷ୍ଣୁ । ଏହି ବିଷ୍ଣୁ ତାଙ୍କର ପଂଚମ ଅବତାରରେ ବାମନ ରୂପେ ଆବିର୍ଭୂତ ହୋଇଥିଲେ ।
ପୌରାଣିକ ଉପାଖ୍ୟାନ ଅନୁସାରେ, ଏହିଦିନ ଏକ ଶୁଭ ମୂହୁର୍ତରେ ଭଗବାନ ବିଷ୍ଣୁ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଧରିତ୍ରୀରେ ଅବତରଣ କରିଥିଲେ । ଏଣୁ ନୃସିଂହ ଚତୁର୍ଦ୍ଦଶୀ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀମନ୍ଦିରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ଦିନ ବାମନ ଜନ୍ମ ମହାସମାରୋହରେ ପାଳିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନ ରୂପ ବାଳକ ବେଶରେ ସଜ୍ଜିତ କରାଯାଇଥାଏ ।
ଏହି ଦିନ ଶ୍ରୀମନ୍ଦିରରେ ବାମନଙ୍କ ଜନ୍ମୋତ୍ସବ ନୀତି ଓ ଦ୍ଵିପ୍ରହର ଧୂପ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରିଥାନ୍ତି । ଏଥିରେ ସୁଭଦ୍ରା ସାଧାରଣ ବେଶ ଓ ଶ୍ରୀବଳଭଦ୍ର ରାଜ ବେଶରେ ଦୃଶ୍ୟମାନ ହେବା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଭୁଜ, ଶ୍ରୀପୟର ଓ ସ୍ଵର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଭୂଷିତ କରାଯାଇଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶ କରିଥାନ୍ତି, ଜଣାଯାଏ ସତେ ଯେପରି ଜଗନ୍ନାଥ ମହାପ୍ରଭୁ ସ୍ଵୟଂ ଏକ ବାମନ ବା କ୍ଷୁଦ୍ରକାୟ ବିପ୍ର । ବାମନ ବେଶରେ ଠାକୁରଙ୍କୁ ଲାଗି କରାଯାଉଥିବା ସ୍ଵର୍ଣ୍ଣ ଅଳଙ୍କାର ଇତ୍ୟାଦି ବେଶ ଦିବସ ପୂର୍ବରୁ ରତ୍ନଭଣ୍ଡାରରୁ କଢାଯାଇ ଭଣ୍ଡାର ମେକାପ ସେବକଙ୍କ ମାରଫତ୍ ରେ ରହିଥାଏ ।
ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ଭାବରେ ବର୍ଣ୍ଣନା କରାଯାଇଛି “ରଥେତ୍ୱଂ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ \” । ଜଗନ୍ନାଥଙ୍କର ହସ୍ତପଦ ବିହୀନ ଅବୟବକୁ ଦର୍ଶନ କଲେ ସେ ସ୍ଵତଃ ବାମନ ଭଳି ଦେଖାଯାନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ଏକାଦଶୀ ତଥା ପାର୍ଶ୍ଵ ପରିବର୍ତନ ଏକାଦଶୀ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ୪ ମାସ ଶୟନ କାଳରେ ୨ ମାସରେ ପାର୍ଶ୍ଵ ପରିବର୍ତନ କରିଥାନ୍ତି ।