
ପୁରୀ, ଆଜି ଶ୍ରୀନଅରରେ ପବିତ୍ର ସୁନିଆ ପର୍ବ ପାଳିତ ହୋଇଯାଇଛି । ଶ୍ରୀ ବାମନ ଜନ୍ମ, ସୁନିଆଁ। ଉତ୍କଳୀୟ ୧୪୩୦ ସାଲ ଆରମ୍ଭ ହୋଇଛି। ଶ୍ରୀଦିଵ୍ୟସିଂହ ଦେଵ ମହାରାଜାଙ୍କର ୬୫ ଅଙ୍କ ଆରମ୍ଭ ହୋଇଛି। ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୋଇଛି ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ସୁନିଆ, ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆକୁ ଉତ୍କଳୀୟ ଗଜପତିଙ୍କ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ପାଇଁ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥିଲା । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥିଲେ । କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟି ଦେଇଥିଲେ । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥିଲେ । ସୁନିଆ ଦିନ ସ୍ଵର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ପୁରାତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୋଇଥିଲା ।