ଭୁବନେଶ୍ୱର, ସମ୍ମାନିତ ହୋଇ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସ୍ୱାଗତ ସମ୍ବର୍ଦ୍ଧନା ଏକ ପ୍ରହସନ, ଏହା କିଣା ଆୱାର୍ଡ । ଏହି ଆୱାର୍ଡ କେତେ ଟଙ୍କାରେ କିଣିଛନ୍ତି, ଜଣାନାହିଁ । ଏହା ନୂଆ କଥା ନୁହେଁ, ଯେଉଁ ସଂସ୍ଥାକୁ କେହି ଜାଣି ନାହାନ୍ତି, ସିଏ ସେବା ସାଧକ ଆୱାର୍ଡ ଦେଉଛନ୍ତି । ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ‘ଜୀବନବ୍ୟାପୀ ସାଧନା’ ସମ୍ମାନ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏପରି ପ୍ରତିକ୍ରିୟା ଦେଇଛନ୍ତି ।
ବିରୋଧୀ ଦଳ ନେତା କହିଛନ୍ତି, ଯେଉଁ ଲୋକ ସନ୍ଧ୍ୟା ୮ଟା ପରେ କେଉଁ ଅନ୍ଧାରୀ ଦୁନିଆରେ ନିଖୋଜ ହୋଇଯାନ୍ତି ସେ ହେଉଛନ୍ତି ସେବାର ସାଧକ । ଯେଉଁ ଲୋକ କୌଣସି କଥା ଆଜି ପର୍ଯ୍ୟନ୍ତ ବୁଝିନାହାଁନ୍ତି, ଆମ ଭାଷା ଜାଣି ନାହାନ୍ତି କି ଆମ ସଂସ୍କୃତି ଜାଣି ନାହାନ୍ତି ତାଙ୍କୁ ସେବା ସାଧକ ପୁରସ୍କାର ଦିଆଯାଇଛି । ଯେଉଁମାନେ ପୁରସ୍କୃତ କରିଛନ୍ତି ସେମାନେ ଧନ୍ୟ, ଯେଉଁମାନେ ପୁରସ୍କାର ପାଇଛନ୍ତି ସେମାନେ ଧନ୍ୟ । ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆୱାର୍ଡ କିଣନ୍ତି । ଏହା ନୂଆ କଥା ନୁହେଁ, ଗତଥର ମଧ୍ୟ ଏପରି କରିଥିଲେ । ତେବେ ଏହାର ପ୍ରଭାବ କିଛି ପଡିବ ନାହିଁ । ନବୀନ ବାବୁଙ୍କ ଏହି ଡ୍ରାମାକୁ ଲୋକେ ବୁଝି ସାରିଛନ୍ତି ବୋଲି ସେ କହିଛନ୍ତି ।