ଭୁବନେଶ୍ୱର, ପାରାଦୀପ ପୋର୍ଟ ଲାଂଚ କାରବାର ମାମଲାରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ ମିଳିଛି । ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ନିର୍ଦ୍ଦେଶକ ଥିବା ଚର୍ଚ୍ଚିତଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।
ଶିଳ୍ପପତି ମହିମା ମିଶ୍ରଙ୍କ କମ୍ପାନୀ ଓଏସଏଲ୍ କୁ ଅହେତୁକ ଅନୁକମ୍ପା ପ୍ରଦାନ ପାଇଁ ୬୦ ଲକ୍ଷ ଟଙ୍କାର ଲାଂଚ କାରବାର ହୋଇଥିବା ଅଭିଯୋଗ କରି ସିବିଆଇ ମହିମା ମିଶ୍ରଙ୍କ ପୁଅ ତଥା ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ଚିଫ୍ ଇଂଜିନିୟର ସରୋଜ ଦାଶ, ତାଙ୍କ ସହଯୋଗୀ ବିଲ୍ଡର ଶିଶିର ଦାସ, କେସିଟିର ଦେବପ୍ରିୟ ମହାନ୍ତିଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ମହିମା ମିଶ୍ରଙ୍କ କଟକ ଘର, ଅଫିସ ସହିତ ପାରାଦୀପ ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା ।
ସିବିଆଇର ସୂଚନା ଅନୁସାରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ବିଭିନ୍ନ ସମୟରେ ପାରାଦୀପ ବନ୍ଦରରେ ନିୟୋଜିତ ଥିବା ବିଭିନ୍ନ ଘରୋଇ କମ୍ପାନୀଙ୍କୁ ଅହେତୁକ ଅନୁକଂପା ଦେଖାଇ ତାଙ୍କ ଘନିଷ୍ଠ ମଧ୍ୟସ୍ଥିଙ୍କ ଜରିଆରେ ଅଭ୍ୟାସଗତ ଭାବେ ଲାଂଚ ଗ୍ରହଣ କରି ଆସୁଥିଲେ । ଏହି ମଧ୍ୟସ୍ଥି ଜଣଙ୍କର ପୋର୍ଟର ଅପରେସନ୍ ମ୍ୟାନେଜର ଓ ଘରୋଇ କମ୍ପାନୀ ସହ ଘନିଷ୍ଠତା ରହିଥିଲା ।