ରାଉରକେଲା,କୋଭିଡ ସମୟରେ ରାଉରକେଲାର ଏକ ଡାକ୍ତରଖାନାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଡିଏମଏଫ ପାଣ୍ଠିରୁ ରୋଗୀ ପିଛା ୫ ଲକ୍ଷରୁ ଅଧିକ ବିଲ କରି ଦେଇ ଏହି ପାଣ୍ଠିକୁ ଦୁଇ ହାତରେ ଲୁଟ କରିବାର ଅଭିଯୋଗ ଆସିବା ପରେ ପୁଣି ଖଣି ଶ୍ରମିକ ମାନଙ୍କୁ ସୁରକ୍ଷା କିଟ ପ୍ରଦାନ ବେଳେ ୩୨ କୋଟିର ଟେଣ୍ଡର ଫିକ୍ସିଂ ଓ ୧୨ କୋଟିର ହରିଲୁଟ ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ରଶ୍ମୀ ରଂଜନ ପାଢୀ। ସେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିବା ସହ ଡିଏମଏଫ ପାଣ୍ଠିରେ ସଦସ୍ୟ ଥିବା ସୁନ୍ଦରଗଡ ସାଂସଦ, ବିଧାୟକ ମାନଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯଦି ଏହାର ତଦନ୍ତ କରାନଯାଏ ତେବେ ଏନେଇ ମାନ୍ୟବର ଉଚ୍ଚ ନ୍ୟାଳୟରେ ରିଟ ପିଟିସନ ଦାୟର କରାଜିବ ବୋଲି ଶ୍ରୀ ପାଢୀ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଯେଉଁ ସବୁ ହରିଲୁଟର ଅଭିଯୋଗ ଶ୍ରୀ ପାଢୀ ଆଣିଛନ୍ତି, ସେ ସମୟରେ ଜିଲ୍ଲାପାଳ ଓ ଡିଏମଏଫର ଅଧ୍ୟକ୍ଷ ନିଖିଲ ପବନ କଲ୍ୟାଣ ଥିଲେ, ସେ ଏବେ କଟକ ମହାନଗରର କମିଶନର ଦାୟିତ୍ଵରେ ଅଛନ୍ତି । ଏହି ହରିଲୁଟ ଅଭିଯୋଗକୁ ନେଇ ଶ୍ରୀ ପାଢୀ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଏସବୁକୁ ନେଇ ତଥ୍ୟ ମଗାଜିବା ବେଳେ ସେ ସମୟରେ ଥିବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ ତାଙ୍କର କାର୍ଯ୍ୟକଳାପ ଏ ସମସ୍ତ ମାମଲାରେ ସଂପୃକ୍ତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ତେବେ ଡିଏମଏଫ ପାଣ୍ଠି ସିଇଓ ତାଙ୍କର ଏକ ଚିଠିରେ ଜିଲ୍ଲାର ଖଣି ବିଭାଗ ଓ ଶ୍ରମ ବିଭାଗକୁ ଚିଠି ଲେଖି ଜଣାଇଥିଲେ ଯେ, ଜିଲ୍ଲାର ଖଣି ଶ୍ରମିକ ମାନଙ୍କୁ ସୁରକ୍ଷା କିଟ ପ୍ରଦାନ କରାଜିବ ସେ ନେଇ ଶ୍ରମିକ ମାନଙ୍କର ତାଲିକା ପ୍ରସ୍ତୁତ କରାଯାଉ ।ତାଲିକା ପ୍ରସ୍ତୁତ ପରେ ଡି ଏମ ଏଫ ତରଫରୁ ଏକ ଟେଣ୍ଡର ୯-୬-୨୦୨୧ରେ ଡିଏମଏଫ/ଏସଏନଜି/୦୨/୨୦୨୧-୨୨ ଡକାଗଲା । ପ୍ରଥମେ ୧୦ ହଜାର ଶ୍ରମିକଙ୍କୁ ଏହି ସାମଗ୍ରୀ ଦେବା ଲାଗି ସ୍ଥିର ହୋଇଥିବା ବେଳେ ପରେ ଏହା ବାରମ୍ବାର ବଦଳି୨୪୧୨୯ରେ ପହଁଚିଲା । ସାମଗ୍ରୀ ୨ ପ୍ରକାର ଥିଲା ଗୋଟିଏ ହେଲା ସୁରକ୍ଷା ଅନ୍ୟଟି ଆବଶ୍ୟକ । ମୋଟ ୧୮ଟି ସାମଗ୍ରୀ ଏହା ଭିତରେ ଅନ୍ତର୍ଭୁକ୍ତ । ଏହି ସବୁ ସବୁ ସାମଗ୍ରୀ ଯୋଗାଇବା ଲାଗି ୯ଟି ସଂସ୍ଥା ଟେଣ୍ଡରରେ ଅଂଶ ଗ୍ରହଣ କରିଥିଲେ, ତେବେ ଓଡିଶାର ୩ଟି ସଂସ୍ଥା ସମେତ ୬ ଜଣଙ୍କୁ ବାଦ ଦେଇ ଏଲ୍ ୧,ଏଲ୍ ୨ ଓ ଏଲ୍ ୩ ହୋଇଥିବା ୩ଟି ରାଜ୍ୟ ବାହାର ସଂସ୍ଥାକୁ ଭାଗ ଭାଗ କରି ଏହି ସବୁ ସାମଗ୍ରୀ ପ୍ରଦାନ ଲାଗି ଅନୁମତି ପ୍ରଦାନ କରାଗଲା । ଏଥିରେ ମୋଟ ୨୪ ହଜାର ୧୨୯ ଖଣି ଶ୍ରମିକଙ୍କୁ ସୁରକ୍ଷା ସାମଗ୍ରୀ ଆଦି ଯୋଗାଇବା ଲାଗି ଗିଲନ ଇଣ୍ଡଷ୍ଟ୍ରୀ କୁ ୧୮ କୋଟୀ ୮୧ ଲକ୍ଷ୬୨ ହଜାର ୮୦୦, ବୀର ଏଂଟରପ୍ରାଇଜେସକୁ ୯କୋଟୀ ୪୬ ଲକ୍ଷ ୩୦ ହଜାର ୮୦୦, ଓ ଶ୍ରୀ ହରି ଜେନେରାଲ ସପ୍ଲାୟରକୁ ୪ କୋଟି ୫ ଲକ୍ଷ ୩୫ ହଜାର ପ୍ରଦାନ କରାଗଲା । ମୋଟ ଏମାନଙ୍କୁ ୩୨ କୋଟି ୩୩ ଲକ୍ଷ ୨୮ ହଜାର ଟଙ୍କା ଡିଏମଏଫ ପାଣ୍ଠିରୁ ଦିଆଗଲା । ଏହା ଭିତରେ ଏହି ସଂସ୍ଥା ଗୁଡିକୁ ଯେତିକି ପରିମାଣର ଶ୍ରମିକଙ୍କୁ ସାମଗୀ ଦେବା ଲାଗି କୁହାଯାଇଥିଲା ଓ ଚୁକ୍ତିନାମା ହୋଇଥିଲା ସେଥିରେ ମଧ୍ୟ ଏପାଖ ସେପାଖ କରିଦିଆଗଲା । ସାମଗ୍ରୀ ଯୋଗାଣ ବେଳେ ଚୁକ୍ତିନାମା ଅନୁଯାୟୀ ସଠିକ କମ୍ପାନୀ ଯାଗାରେ ଅତି ନିମ୍ନ ମାନର ସାମଗ୍ରୀ ଦେଇ ୨ଗୁଣାରୁ ଅଧିକ ଅର୍ଥର ବିଲ ଦେଇ ନିଜର ପଇସା କଂପାନୀ ମାନେ ନେଇଗଲେ। ଯାହାଦ୍ଵାରା ଶ୍ରମିକ ମାନେ ଅତି ଶସ୍ତା ନିମ୍ନ ମାନର ସାମଗ୍ରୀ ପାଇଲେ ଓ ଏଥିରେ ପାଖା ପାଖି ୧୨କୋଟି ଟଙ୍କାର ହରିଲୁଟ ଓ ମନଇଛା କଂପାନୀ ଚୟନ କରି ଏହି ଟେଣ୍ଡରକୁ ଫିକ୍ସିଂ କରାଯାଇଛି ବୋଲି ଶ୍ରୀ ପାଢୀ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଏହି କମିଟିରେ ଜିଲ୍ଲାର ସାଂସଦ, ବିଭିନ୍ନ ବିଧାୟକ ମାନେ ମଧ୍ୟ ସଭ୍ୟ ରହିଛନ୍ତି ସେମାନେ ମଧ୍ୟ ଆଜିଯାଏ କେମିତି ମୁହଁ ନଖୋଲି ନୀରବ ରହିଛନ୍ତି ସେନେଇ ଶ୍ରୀ ପାଢୀ ଏମାନଙ୍କର ନିଷ୍ଠା ଉପରେ ପ୍ରଶ୍ନ କରିଛନ୍ତି । କଳ କାରଖାନା, ଖଣି ଆଦିରେ ମାଲିକ ମାନେ ସୁରକ୍ଷା ସାମଗ୍ରୀ ଦେବା କଥା ଯଦି ଦେଉ ନାହାନ୍ତି ସେଥିଲାଗି ସରକାରୀ ବିଭାଗ ରହିଛି ସେମାନେ ତାକୁ ଦେଖିବା କଥା କିନ୍ତୁ ସେସବୁକୁ ନଦେଖି କେଉଁ ମହତ ଉଦେଶ୍ୟରେ ବାବୁ ମାନେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଉପରେ ଏଭଳି ନିଷ୍ପତି ନେଇ ଖଣିଜ ପାଣ୍ଠିକୁ ଅପବ୍ୟବହାର କଲେ ବୋଲି ସେ ପ୍ରଶ୍ନ କରିଚନ୍ତି । ତେଣୁ ଏନେଇ ରାଜ୍ୟ ଭିଜିଲାନ୍ସ ତଦନ୍ତ କରିବା ଲାଗି ସେ ଦାବି କରିଛନ୍ତି । ଯଦି ସଠିକ ସମୟରେ ଏହାର ତଦନ୍ତ ନହୁଏ ତେବେ ସେ ଉଚ୍ଚନ୍ୟାୟାଳୟର ଦ୍ଵାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।