ବଲାଙ୍ଗିର, ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଂଚାୟତ ଅନ୍ତର୍ଗତ ଦେଦର୍ହା ଗାଁରେ ବ୍ୟାପୁଛି ଝାଡାବାନ୍ତି । ଝାଡାବାନ୍ତିରେ ଗାଁର ଗୋଟିଏ ପରିବାରର ଦୁଇ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ୩୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ହୋଇଛନ୍ତି । ମୃତକମାନେ ହେଲେ କୁମାରୀ ମେହେର (୪୮) ଓ ତାଙ୍କର ନାତି ବବୁଲ ମେହେର(୧୦) । ଏମାନେ ସମ୍ପର୍କରେ ଜେଜେମା ଓ ନାତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତକାଲି ରାତିରେ ଜେଜେମା’ର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ନାତିର ମୃତ୍ୟୁ ଘଟିଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ଜଣ ଆଖି ବୁଜିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁସାରେ, ଗାଁରେ ନବାନ୍ନ ପରେ କିଛି ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ରାତିରେ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କୁମାରୀ ମେହେରଙ୍କ ମୃତ୍ୟୁ ହୋଇଥିଲା । ସୋମବାର ସକାଳେ ନାତି ବବୁଲୁଙ୍କ ମୃତ୍ୟୁ ହୋଇଛି । ଏନେଇ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡ଼ା. ସୁରଜ ଦୀପଙ୍କୁ ପଚାରିବାରୁ ଗାଁରେ ମେଡିକାଲ ଟିମ୍ ପହଁଚି ଥିବା ଏବଂ ସ୍ଥିତି ନିୟନ୍ତ୍ରଣାଧିନ ଥିବା ସେ କହିଛନ୍ତି । ତୁରନ୍ତ ଆକ୍ରାନ୍ତଙ୍କ ଚିକିତ୍ସା ସହ ଅନ୍ୟ ଗାଁକୁ କିଭଳି ଏହା ନ ବ୍ୟାପିବା ସେଥିପାଇଁ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଥିବା ଜଣାପଡିଛି ।
ବଲାଙ୍ଗିର ଏଡିଏମଓ ଡା. କେ.ସି. ମହନ୍ତ କହିଛନ୍ତି ଯେ, ସମ୍ପୃକ୍ତ ଗ୍ରାମକୁ ମେଡିକାଲ ଟିମ୍ ଖପ୍ରାଖୋଲ ମେଡିକାଲ ଆଫିସରଙ୍କ ନେତୃତ୍ୱରେ ଯାଇଛନ୍ତି । ଯେପରି ଏହା ମହାମାରୀ ରୂପ ନେବନାହିଁ ସେଥିପ୍ରତି ଦୃଷ୍ଟି ରଖାଯାଉଛି । କ଼ୁମାରୀ ମେହେର (୪୮)ଙ୍କ ମୃତ୍ୟୁ ଝାଡ଼ା ବାନ୍ତିରେ ହୋଇନଥିବା ସେ କହିଥିବା ବେଳେ ତାଙ୍କର ଅନ୍ୟ ରୋଗ ଥିବା କହିଛନ୍ତି ।
୨୦ ଜଣ ଆକ୍ରାନ୍ତ ଗାଁରେ ଚିକିତ୍ସିତ ହେଉଥିବା ବେଳେ ୧୦ ଗୁରୁତରଙ୍କୁ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଗାଁରେ ସ୍ଵତନ୍ତ୍ର ମେଡିକାଲ ଟିମ୍ ପହଂଚି ଆକ୍ରାନ୍ତଙ୍କ ଚିକିତ୍ସା ଜାରୀ ରଖିଛନ୍ତି ଏବଂ ଲୋକଙ୍କୁ ଏନେଇ ସଚେତନ କରୁଛନ୍ତି ।