
ମାଲକାନଗିରି, ମାଲକାନଗିରି ଜିଲ୍ଲା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ଏହାର ବିଚାରଧାରା ବିଭାଗ ଦ୍ଵାରା ତ୍ରୟୋଦଶ ତମ ଇ -ପାଠଚକ୍ର ମାଲକାନଗିରିର ଅସ୍ମିତା ଓ ସ୍ଵାଭିମାନର ପ୍ରତୀକ ତାମା ଦୋରାଙ୍କ ଉପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପଡିଆର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ମାଲକାନଗିରିର ଶହୀଦ ତାମା ଦୋରା କିପରି ଇଂରେଜ ସରକାର ବିରୁଦ୍ଧରେ କୋୟା ଜନଜାତିର ଲୋକମାନଙ୍କୁ ସଂଗଠିତ କରି ଆନ୍ଦୋଳନ କରି ଶହୀଦ ହୋଇଥିଲେ, ତାହା ଉପରେ ନିଜର ଗବେଷଣା ଲବ୍ଧ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିବେକାନନ୍ଦ ଲୋକ ସଂସଦ ଜିଲ୍ଲା ଶାଖାର ଆଜୀବନ ସଦସ୍ୟ ତଥା ସମ୍ପାଦକ ଡଃ. ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ଵ କରିଥିଲେ । କେ.ଜି .ବି .ଭି, ଚାଲାଣଗୁଡାର ପ୍ରଧାନ ଶିକ୍ଷୟିତ୍ରୀ ଆଭାରାଣୀ ବିଶ୍ଵାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସଂସଦର ଆଜୀବନ ସଦସ୍ୟା ପ୍ରତିମା ନାୟକ ପ୍ରାରମ୍ଭିକ ମନ୍ତ୍ରପାଠ କରିଥିଲେ ଓ ସୁଶ୍ରୀ ଶାଶ୍ଵତୀ ନାୟକ ବିବେକବାଣୀ ପାଠ କରିଥିବା ବେଳେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଶିକ୍ଷୟତ୍ରୀ ଅଙ୍ଗୁରବାଳା ସ୍ଵାଇଁ ଶାନ୍ତି ପାଠ କରିଥିଲେ।
ଏହି ଆଭାସୀ ପାଠଚକ୍ରରେ ଜିଲ୍ଲା ଓ ସମଗ୍ର ରାଜ୍ୟରୁ ୪୦ରୁ ଊର୍ଦ୍ଧ୍ଵ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଶହୀଦ ତାମା ଦୋରାଙ୍କ ନାମରେ ମାଲକାନଗିରି ଜିଲ୍ଲାର କୌଣସି ଅନୁଷ୍ଠାନ, ମହାବିଦ୍ୟାଳୟର ନାମକରଣ କରାଗଲେ ଶହୀଦଙ୍କ ପ୍ରତି ଏହା ଉପଯୁକ୍ତ ସମ୍ମାନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।