ନୟାଗଡ଼, ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ମା କୋଳରୁ ଭାସିଯାଇ ପ୍ରାଣ ହରାଇଛି ୨୨ ମାସର ଶିଶୁକନ୍ୟା । ଆଜି ଏପରି ଏକ ଅଘଟଣ ଘଟିଯାଇଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ଗାଁରେ । ମୃତା ଶିଶୁକନ୍ୟା ହେଲେ ଜଗନ୍ନାଥ ସାହିର ଶ୍ରଦ୍ଧାଞ୍ଜଳି ବାରିକ ।
ଶ୍ରଦ୍ଧାଞ୍ଜଳି ଆଜି ନିଜ ମା’ ଶାନ୍ତିଲତା ବାରିକଙ୍କ ସହ ଗାଁ ନିକଟସ୍ଥ ଦୁଆଂଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ମା’ ସହ ଛୁଆଟି ଗାଧୋଉଥିବା ବେଳେ ହଠାତ୍ ଅସାବଧାନତାବଶତଃ ସେ ମା’ ପାଖରୁ ନଦୀ ସ୍ରୋତରେ ଭାସି ଯାଇଥିଲା । ଛୁଆ ଭାସି ଯାଉଥିବା ଦେଖି ଶାନ୍ତିଲତା ତାର ଜୀବନ ବଂଚାଇବାକୁ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ କିଛି ଦୂରରେ ଥିବା ଏକ ବ୍ରିଜ ତଳେ ଛୁଆଟି ଲାଖିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ତୁରନ୍ତ ଉଦ୍ଧାର କରି ତାକୁ ଓଡ଼ଗାଁ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।