ଭୁବନେଶ୍ୱର, ବଙ୍ଗୋପ ସାଗରରେ ବାତ୍ୟା ନୁହେଁ, କେବଳ ଲଘୁଚାପ ଆସୁଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ବାତ୍ୟା ନେଇ କୌଣସି ସୂଚନା ନାହିଁ । କିମ୍ବା ବାତ୍ୟା ସଂପର୍କରେ ଆଇଏମଡି କୌଣସି ସୂଚନା ଜାରି କରିନାହିଁ । ତେବେ ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟିହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ମୌସୁମୀ ନିମ୍ନଚାପ ରେଖା ଉତରରେ ରହୁଛି । ଫଳରେ ୩ରୁ ୪ ଡିଗ୍ରୀ ଅଧିକ ପାରଦ ରହୁଛି । ୨୨ ସହରରେ ତାପମାତ୍ରା ୩୫ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୩୫ ଡିଗ୍ରୀ ତାପମାତ୍ରା ସହ ଆର୍ଦ୍ରତା ୬୫ % ରହୁଛି । ଫଳରେ ଏବେ ଗୁଳୁଗୁଳି ଲାଗିରହିଛି ।
ସେ କହିଛନ୍ତି ଯେ ସୋମବରା ଠାରୁ ବର୍ଷା ହେବା ସହ ୬ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ । ପ୍ରଥମ ସପ୍ତାହ ଶେଷ ବେଳକୁ ଗୋଟିଏ ଘୁର୍ଣ୍ଣିବଳୟ ଏବଂ ୯ରୁ ୧୫ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ଆସିବ । ଫଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି ।