କନ୍ଧମାଳ, ନିକଟସ୍ଥ ରାମାଡି ଗ୍ରାମରେ ଗଣେଶ ମେଢ ଭସାଣିରେ ଦଡକୀ ଛକରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଉଭୟ ଗୋଷ୍ଠୀର ୭ ଜଣ ଆହତ ହେବା ସହ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣ୍ଡଗୋଳରେ ସାମିଲ ଥିବା ସରପଞ୍ଚଙ୍କ ପୁଅ ସଞ୍ଜୀତ ମଲ୍ଲିକ ଓରଫ ପପୁଙ୍କ ସହ ଅନ୍ୟ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଫୁଲବାଣୀ ଗୋଛାପଡା ରାସ୍ତାର ଦଡକୀ ଛକରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ଗ୍ରାମର ଶତାଧିକ ଉତ୍ଯକ୍ତ ମହିଳା ସରପଞ୍ଚଙ୍କୁ ଘରୁ ଟାଣି ନେଇ ଦଡ଼କୀ ଛକ ପର୍ଯ୍ୟନ୍ତ ଆଣିଥିଲେ। ପୁଅକୁ ଗିରଫ ଦାବିରେ ସରପଞ୍ଚଙ୍କୁ ରାସ୍ତାରେ ବସାଇଥିଲେ। ଖବର ପାଇ ଫୁଲବାଣୀ ସଦର ଥାନାଧିକାରୀ ସମୀର କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶୃତି ଦେବାପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ।
ସୂଚନା ପ୍ରକାରେ, ରାମାଡି ଗ୍ରାମର ଯୁବକ ମାନେ ଗତକାଲି ରାତିରେ ଗଣେଶ ଭଷାଣିରେ ଯାଉଥିବା ବେଳେ ଦଡକି ଛକରେ ଦଡକି ଗ୍ରାମର ସରପଞ୍ଚଙ୍କ ପୁଅ ପପୁ ଓ ତାର କିଛି ବନ୍ଧୁ ମାରଣାସ୍ତ୍ର ସାହାଯ୍ୟରେ ରାମାଡିର ଯୁବକ ମାନଙ୍କୁ ମାଡ଼ ମାରିବା ସହିତ ଛୁରୀରେ ଆଘାତ କରିଥିଲେ। ଯାହା ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହା ସହିତ ଏକ ଟ୍ରାକ୍ଟରକୁ ଭଙ୍ଗାରୁଜା କରିବା ସହ ସାଉଣ୍ଡ ବକ୍ସକୁ ମଧ୍ୟ ଭାଙ୍ଗିଥିବା ନେଇ ସୂଚନା ମିଳିଛି। ତେବେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ନକଲେ ଆଗାମୀ ଦିନରେ ପୁନର୍ବାର ଆନ୍ଦୋଳନ ହେବ ବୋଲି ରାମାଡି ଗ୍ରାମବାସୀ ପୋଲିସ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।