ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ୪୧ ଗୋଟି ପଂଚାୟତରେ ଖରିଫ ଧାନ ଚାଷ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମରୁ ରୁଆ-ପୋତା ହୋଇଥିବା ଧାନ କ୍ଷେତରେ ଏବେ ୟୁରିଆ ସାର ପ୍ରୟୋଗର ବ୍ୟାପକ ଆବଶ୍ୟକତା ରହିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସଠିକ୍ ଭାବେ ୟୁରିଆ ଯୋଗାଇ ଦିଆଯାଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ରୁଆ-ପୋତା ସମୟରେ ଗ୍ରୋମର, ପଟାସ, ଡିଏପି ସାର ଆବଶ୍ୟକ ମୁତାବକ ନମିଳିବାରୁ ଚାଷୀମାନେ ଚଢା ଦରରେ କିଣି କ୍ଷେତରେ ପକାଇଥିଲେ । ବର୍ତ୍ତମାନ ଦ୍ଵିତୀୟ ପର୍ଯ୍ୟାୟରେ କେବଳ ୟୁରିଆ କ୍ଷେତରେ ପକାଇବା ପାଇଁ ସମୟ ହୋଇଥିଲା ବେଳେ ଚାଷୀ ସମବାୟ ସମିତିରୁ ସଠିକ୍ ଭାବେ ୟୁରିଆ ନପାଇ ଖୋଲା ବଜାରରୁ ଚଢା ଦରରେ କିଣୁଥିବା ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସମବାୟ ସମିତି ଓ ସରକାରୀ ଡିଲର ମାଧ୍ୟମରେ ଚାଷୀମାନଙ୍କୁ ସାର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିିଥିଲା ବେଳେ ଆବଶ୍ୟକ ମୁତାବକ ୟୁରିଆ ନମିଳିବାରୁ ବାଧ୍ୟ ହୋଇ ଅଧିକା ମୂଲ୍ୟରେ ଚାଷୀ ୟୁରିଆ କିଣୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସରକାରଙ୍କ ସାର ଯୋଗାଣ ସଂସ୍ଥା ମାର୍କଫେଡ୍ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ ପ୍ରଥମେ ସମବାୟ ସମିତି ଗୁଡିକୁ ସାର ଯୋଗାଇ ଦେଇଥିବା ବେଳେ ଅନେକ ସମିତିର ସାର ଗଚ୍ଛିତ ରଖିବା ପାଇଁ ଗୋଦାମ ଗୃହ ନଥିବାରୁ ସେମାନେ ସଠିକ୍ ଭାବେ ସାର ଉଠାଇ ପାରୁନାହାଁନ୍ତି । ଏହାଛଡା ପି.ଏସ୍.ଓ. ମେସିନ ଦ୍ଵାରା ଆଙ୍ଗୁଳି ଛାପ ଦେଇ ଚାଷୀମାନେ ସମିତିରୁ ସାର ନେବା ପାଇଁ ନିୟମ ରହିଥିଲା ବେଳେ ବହୁ ଚାଷୀ ଏହି ନିୟମରେ ସାର କିଣି ପାରୁ ନାହାଁନ୍ତି । ଏହି ବ୍ଲକ ଅଧିନରେ ଥିବା ୧୩ଟି ସମବାୟ ସମିତିକୁ ୨୭୬.୧୫୫ ଟନ୍ ୟୁରିଆ, ପଟାସ, ଡି.ଏ.ପି. ଓ ଅନ୍ୟାନ୍ୟ ସାର ଯୋଗାଇ ଦିଆଯାଇଥିଲା ବେଳେ ଚାଷୀମାନେ ମଧ୍ୟ ଏହାକୁ ବ୍ୟବହାର କରିଥିବା ମାର୍କଫେଡ୍ ଅଧିକାରୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ମାର୍କଫେଡ୍ ପକ୍ଷରୁ ଇଫ୍କୋ କଂପାନୀର ନାନୋ ନାମକ ତରଳ ୟୁରିଆ ଜବରଦସ୍ତ ସମିତିକୁ ଦିଆଯାଉଥିଲା ବେଳେ ଚାଷୀମାନେ ଏହାକୁ ଧାନ କ୍ଷେତରେ ପ୍ରୟୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବାରୁ ଏହା ବିକ୍ରି ହୋଇ ପାରୁ ନାହିଁ । ସରକାରୀ ଭାବେ ସମିତି ଗୁଡିକରେ ୟୁରିଆ ୪୫ କେ.ଜି. ବସ୍ତା ପ୍ରତି ସର୍ବାଧିକ ୨୮୦ ରୁ ୩୦୦ ଟଙ୍କା ବିକ୍ରି ହେଉଥିଲା ବେଳେ ଖୋଲା ବଜାରରେ ବସ୍ତାପ୍ରତି ୧୦୦ ଟଙ୍କା ଅଧିକା ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।