
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଆଦିବାସୀ ଶବ୍ଦକୁ ନେଇ ବୟାନ ଦେବା ପରେ ବିବାଦ ସୃଷ୍ଟି ହୋଇଛି । ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ପ୍ରତିବାଦ କରାଯାଇଛି । ଜି ଉଦୟଗିରି ଆଦର୍ଶ ଥାନରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି ।ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ଦେଇଛି କୁଇ ସମାଜ । ଦାବି ପତ୍ରରେ କୁଇ ସମାଜ ପକ୍ଷରୁ ଲେଖାଯାଇଛି | ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶଙ୍କରାଚାର୍ଯ୍ୟଙ୍କ ମତ ସମଗ୍ର ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପ୍ରତି ଅପମାନ ସୂଚକ । ଶଙ୍କରାଚାର୍ଯ୍ୟଙ୍କ ବୟାନ ଯେଭଳି ସମାଜରେ ବିଶୃଙ୍ଖଳା ସୃଷ୍ଟି ନକରେ ସେଥିପାଇଁ ଅନୁସୂଚିତ ଜନଜାତି ନିବାରଣ ଆଇନ ଅନୁଯାୟୀ ତାଙ୍କୁ ଗିରଫ କରାଯାଉ । ଗତ ୨୧ ତାରିଖରେ ଆଦିବାସୀ ଶବ୍ଦକୁ ହଟାଇ ଦେବା ପାଇଁ ଯୁକ୍ତି କରିଥିଲେ ଶଙ୍କରାଚର୍ଯ୍ୟ । କହିଥିଲେ ସ୍ୱାଧୀନତା ପରେ ସମାଜ ଭିତରେ ବିଭେଦ ସୃଷ୍ଟି କରିବା ପାଇଁ ବିଭିନ୍ନ ବର୍ଗ କରାଯାଇଥିଲା । ସବର୍ଣ୍ଣ, ଅସବର୍ଣ୍ଣ, ଦଳିତ, ଆଦିବାସୀ ଭଳି ଶବ୍ଦ ସମାଜରେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରୁଛି । ତେଣୁ ଏସବୁ ଶବ୍ଦକୁ ଉଚ୍ଛେଦ କରିଦେବା ଉଚିତ୍ । କିନ୍ତୁ ବର୍ଣ୍ଣ ବ୍ୟବସ୍ଥାର ସମର୍ଥକ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ବର୍ଣ୍ଣ ଅନୁସାରେ ହିନ୍ଦୁ ସମାଜକୁ ୪ଭାଗର ବିଭକ୍ତ କରାଯାଇଥିଲା । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର । ବ୍ରାହ୍ମଣମାନେ ଶିକ୍ଷାଦାନ କରିବେ, କ୍ଷତ୍ରିୟ ମାନେ ସୁରକ୍ଷା ଦେବେ, ଶାସନ କରିବେ, ଯୁଦ୍ଧ କରିବେ, ସମାଜରେ ନ୍ୟାୟ ବ୍ୟବସ୍ଥା ବଜାୟ ରଖିବେ । ବୈଶ୍ୟମାନେ ବାଣିଜ୍ୟ ବ୍ୟବସାୟ କରିବେ । ଶୁଦ୍ରମାନେ ସେବା ଯୋଗାଇ ଦେବେ । କାଳକ୍ରମେ ଏହାକୁ ନେଇ ଜାତି ପ୍ରଥା ସୃଷ୍ଟି ହୋଇଛି । ଆଉ ସେହି ଜାତି ଆଧାରରେ ସାମାଜିକ ବ୍ୟବସ୍ଥା ସୃଷ୍ଟି ହୋଇଛି । ଯାହାକୁ ନେଇ ଦେଶରେ ବିଭିନ୍ନ ରାଜନୈତିକ ଦଳ ରାଜନୀତି କରିଥାନ୍ତି । ଜାତି ଆଧାରରେ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବି କରିଥାନ୍ତି । ତେବେ ବୟାନକୁ ନେଇ ବିବାଦ ପରେ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ । କହିଛନ୍ତି, ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଉଛି ।