ଭୁବନେଶ୍ୱର, କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି । ଜଜ୍ ସୁବାସ କୁମାର ବିହାରୀ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ଜଜ୍ ଙ୍କ ମା ଓ ଭାଇ ଏହି ଅଭିଯୋଗ କରିଛନ୍ତି । ଜଜ୍ ଙ୍କ ପତ୍ନୀ ଓ ତାଙ୍କ ଶଳା ତାଙ୍କୁ ହତ୍ୟା କରିଥିବା କହିଛନ୍ତି ତାଙ୍କ ମା । ସେ କହିଛନ୍ତି ମୋ ପୁଅକୁ ଘରକୁ ଛାଡୁନଥିଲେ କି ମୋ ସହ କଥା କରାଇ ଦେଉନଥିଲେ । ବୋହୂ ଏବଂ ତାଙ୍କ ଭାଇ ମାରିଦେଇଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ଜଜ୍ ଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ଯେ ଆମକୁ ମୃତଦେହ ନିକଟକୁ ଛାଡି ନଥିଲେ । ଚୁପଚାପ୍ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରିଦେଲେ । ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଙ୍କ ଝୁଲନ୍ତା ମୃତଦେହ ତାଙ୍କ କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରୁ ମିଳିଥିଲା । ସିଡିଏର ଏକ ଘରୋଇ ହସ୍ପିଟାଲ ତାଙ୍କୁ ମୃତ ଘୋଷଣା କରିଥିଲେ । ଏସିପି ତାପସ ପ୍ରଧାନ କହିଥିଲେ ଯେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଲାଗୁଛି । ତାଙ୍କ ବେକରେ ଦାଗ ଓ ଆଂଚୁଡ଼ା ଚିହ୍ନ ରହିଛି । ଘଟଣାସ୍ଥଳରୁ ଏକ ରଶି ମିଳିଛି । ତାକୁ ଜବତ କରାଯାଇଛି ଓ ପରୀକ୍ଷା ପାଇଁ ପଠାଯିବ । ସାଇଂଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଂଚ କରିଛି ।