କଟକ/ପୁରୀ, କଟକ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ପୁରୀ ସ୍ଵର୍ଗଦ୍ଵାରରେ ଗତକାଲି ରାତି ପ୍ରାୟ ୩ଟା ସମୟରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଦୁଇ ଝିଅଙ୍କ ମଧ୍ୟରୁ ବଡଝିଅ ପ୍ରୀତିସ୍ନିଗ୍ଧା ତାଙ୍କୁ ମୁଖାଗ୍ନି ଦେଇଥିଲେ । ନିକଟରେ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତେବେ କାହିଁକି ଆତ୍ମହତ୍ୟା କଲେ ବିଚାରପତି ତା’ର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
ଗତକାଲି ସେ କଟକ ସିଡ଼ିଏ ସେକ୍ଟର-୯ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ । ଘରେ କେହି ନଥିବା ବେଳେ ସେ ଫ୍ୟାନରେ ରଶି ଲଗାଇ ଝୁଲିପଡିଥିଲେ । ପୋଲିସ ଏନେଇ ଖୋଳତାଡ଼ ଜାରୀ ରଖିଛି । ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣାସ୍ଥଳରୁ ପୋଲିସ ଜବତ କରିଥିବା ରଶିକୁ ଫରେନସିକ୍ ଯାଂଚ୍ ପାଇଁ ପଠାଯାଇଛି । ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ବିଭିନ୍ନ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରି ଫେରଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ସୂଚନା ମିଳିଛି ।