ଭୁବନେଶ୍ୱର, ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ୱିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ । ଏହାର ପ୍ରଭାବରେ ୫ ତାରିଖରୁ ବର୍ଷାର ପରିମାଣ ବଢିବ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ୱବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଜୁନ ୧ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ୬% ଅଧିକ ବର୍ଷା ହୋଇଛି । ଏହି ସମୟରେ ୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଏବଂ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।
ବର୍ତମାନ ମୌସୁମୀ ନିମ୍ନଚାପ ରେଖା କ୍ରମଶଃ ଦକ୍ଷିଣମୁଁହା ହେଉଛି । ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଛି । ଏହାର ପ୍ରଭାବରେ ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଗୁଳୁଗୁଳି ଜାରି ରହିଛି । ଆହୁରି ୩ ଦିନ ଏହି ସ୍ଥିତି ଲାଗି ରହିବ ବୋଲି ସେ କହିଛନ୍ତି ।