ଭୁବନେଶ୍ୱର, ଆସନ୍ତା ୪ ତାରିଖରେ ନୂଆଦିଲ୍ଲୀର କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ସମ୍ମାନ ଗ୍ରହଣ କରିବା ପରେ ୬ ତାରିଖରେ ଫେରିବା ପରେ ତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ନବୀନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଜେଡି ପକ୍ଷରୁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତମାନ ଠାରୁ ସାମାଜିକ ଗଣମାଧ୍ୟମରେ ଏହାର ବ୍ୟାପକ ପ୍ରଚାର, ପ୍ରସାର ଆରମ୍ଭ ହୋଇଯାଇଛି । ନବୀନ ପୁରସ୍କାର ପାଇଲା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଯାଏ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ଏଥିପାଇଁ ଦଳୀୟ ନେତାଙ୍କୁ ଦାୟିତ୍ୱ ବି ବଂଟାଯାଇଛି ।
ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା । ୪ ତାରିଖରେ ନୂଆଦିଲ୍ଲୀର ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟରରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରିବେ । ସେଠାରେ ଉପସ୍ଥିତ ରହିବା ପାଇଁ ୫ ନେତାଙ୍କୁ ଦିଲ୍ଲୀ ଯିବାକୁ କୁହାଯାଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ ପ୍ରମୁଖ ୨ ତାରିଖରେ ଦିଲ୍ଲୀ ଯିବେ । ଉତ୍ସବ ସ୍ଥଳରେ ନୂଆଦିଲ୍ଲୀର ଜଣାଶୁଣା ପ୍ରବାସୀ ଓଡ଼ିଆମାନଙ୍କୁ ଡକାଯିବାକୁ ଯୋଜନା କରାଯାଇଛି । ସେହିସବୁ କାର୍ଯ୍ୟକ୍ରମକୁ ଏହି ୫ ନେତା ତଦାରଖ କରିବେ ।
ସେ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ୬ ତାରିଖରେ ଓଡ଼ିଶା ଫେରିବେ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି । ସବୁ ନିର୍ବାଚନମଣ୍ଡଳୀରୁ କର୍ମୀମାନଙ୍କୁ ଆଣିବା ପାଇଁ ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ । ନେତା ଓ କର୍ମୀମାନେ ବିମାନବନ୍ଦରରୁ ନବୀନ ନିବାସ ଯାଏ ଏକ ବିରାଟ ପଟୁଆରରେ ନବୀନଙ୍କୁ ପାଛୋଟି ନେବେ ।