ମାଲକାନଗିରି,ମାଲକାନଗିରିରେ ଅଜଣା ରୋଗରେ ପିଲାଙ୍କ ଜୀବନ ଯାଉଛି । ଦୁଇ ଦିନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ପ୍ରଥମେ ପଡିଆ ବ୍ଳକ କାଲଦାପାଲ୍ଲୀ ପଞ୍ଚାୟତ କାଲାଗଣ୍ଡା ମଙ୍ଗଳ ବିଭାଗ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ରଞ୍ଜିତ ମୁଚିକା ପ୍ରାଣ ହରାଇଥିଲେ । ୨୩ ତାରିଖ ଦିନ ରଞ୍ଜିତଙ୍କ ଦେହ ଅସୁସ୍ଥ ହୋଇଥିଲା । ପ୍ରଥମେ ତାଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଦେହ ଅଧିକ ଖରାପ ହେବାରୁ ତୁମସାପାଲି ଚିଡ଼ିପାଲି ଗାଁରେ ଆଣି ସ୍କୁଲ କର୍ତ୍ତୃପକ୍ଷ ଛାଡି ଦେଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ରଞ୍ଜିତଙ୍କୁ ମାଲିକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ୨୯ ତାରିଖରେ ହିଁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳା ଯୋଗୁ ରଞ୍ଜିତ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପ୍ରଥମେ ରଞ୍ଜିତଙ୍କ ଗୋଡ ଫୁଲିଥିଲା । ଜ୍ଵର ସହ ମୁଣ୍ଡ ମଧ୍ୟ ବିନ୍ଧା ହୋଇଥିଲା । ସେହିପରି ଦିନକ ପରେ ଅଷ୍ଟମ ଶ୍ରେଣୀର ଛାତ୍ର ସନ୍ତୁ କୁରାମୀଙ୍କ ସମାନ ଲକ୍ଷଣରେ ମୃତ୍ୟୁ ହୋଇଥିଲା । ସେବାଶ୍ରମରେ ଥମୁନି ଛାତ୍ର ମୃତ୍ୟୁ ଆତଙ୍କ । ଦୁଇ ଦିନ ମଧ୍ୟରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଡ଼ିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ମାଲକାନଗିରି ମୁଖ୍ୟ ଚକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସେବାଶ୍ରମ ଛାଡୁଛନ୍ତି ପିଲା । ବିଦ୍ୟାଳୟରେ ସ୍ଵାସ୍ଥ୍ୟ ବିଭାଗର ଏକ ସ୍ଵତନ୍ତ୍ର ଟିମ ପହଁଚି ତନାଘନା ଆରମ୍ଭ କରିଛନ୍ତି । ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କ ସମେତ ମାଇକ୍ରୋବାଓଲଜିଷ୍ଟ ଓ ଫୁଡ ଇନ୍ସପେକ୍ଟର କୋଲାଗଣ୍ଡା ସେବାଶ୍ରମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖାଦ୍ୟ ନିରୀକ୍ଷକ ମଧ୍ୟ ବିଦ୍ୟାଳୟ ଯାଇଥିଲେ । ଆକ୍ରାନ୍ତଙ୍କ ସହ ବିଦ୍ୟାଳୟର ସମସ୍ତ ୧୪୩ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ରୋଗର ପ୍ରକୃତ କାରଣ କିନ୍ତୁ ଏପଯ୍ୟନ୍ତ ଜଣାପଡି ନାହିଁ ।