
-
ଅଭିଯୁକ୍ତଙ୍କୁ ମୃତ୍ୟୁ ପୂର୍ବରୁ କଲ୍ କରିଥିଲେ ଶୁଭଶ୍ରୀ
ଭୁବନେଶ୍ୱର, ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ହତ୍ୟା ମାମଲାରେ ଖାରବେଳନଗର ପୋଲିସ୍ ହାତରେ ବଡ଼ ସୁରାକ ଲାଗିଛି । ଏହି ମାମଲାରେ ପୋଲିସ୍ ଜଣେ ଯୁବକଙ୍କୁ ଅଟକ ରଖିଛି । ଅଟକ ଥିବା ଯୁବକଙ୍କୁ ମୃତ୍ୟୁ ଦିନ ଶୁଭଶ୍ରୀ ଫୋନ୍ କରିଥିଲେ ବୋଲି ସୂଚନା ମିଳିଛି । ଶୁଭଶ୍ରୀଙ୍କ ଫୋନ୍ ନମ୍ବରରୁ ସମ୍ପୃକ୍ତ ଯୁବକଙ୍କ ପାଖକୁ ବାରମ୍ବାର କଲ୍ ଯାଇଥିଲା । ଏପରିକି ମୃତ୍ୟୁର ଅଧ ଘଂଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍ ନମ୍ବରରୁ ଉକ୍ତ ଯୁବକଙ୍କ ପାଖକୁ ଶେଷ କଲ୍ ଯାଇଥିଲା । ଶେଷ କଲ୍ ୨୭ ସେକେଣ୍ଡର ଥିଲା । ଶେଷ କଲ୍ ପୂର୍ବରୁ ସେଦିନ ୭ରୁ ଅଧିକ ଥର ଶୁଭଶ୍ରୀ ଯୁବକ ଜଣଙ୍କୁ କଲ୍ କରିଥିଲେ । ଅନ୍ୟପକ୍ଷରେ ଅଟକ ଥିବା ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଚିହ୍ନିଥିବା ମଧ୍ୟ ଜଣାପଡ଼ିଛି । ଏସମସ୍ତ ଦିଗକୁ ନେଇ ଛାନଭିନ୍ ଆରମ୍ଭ କରିଛି ଖାରବେଳନଗର ପୋଲିସ୍ ।
ସୂଚନାଯୋଗ୍ୟ ଗତକାଲି ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଂଚଳରେ ଘର ଭିତରୁ ଶୁଭଶ୍ରୀଙ୍କ ମୃତଦେହ ଠାବ ହୋଇଥିଲା । ତାଙ୍କ ବେକରେ ଦାଗ ଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା । ଏହାସହ ଘରର ଆସବାବପତ୍ର ମଧ୍ୟ ଛିନଛତ୍ର ହୋଇ ପଡି ରହିଥିବା ଦେଖିବାକୁ ମିଳିଥିଲା । ଘରେ ସ୍ୱାମୀ ଓ ପୁଅ ନଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।