
-
ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସଶକ୍ତ କରିବା ପାଇଁ ଜଏଣ୍ଟ୍ ଓ୍ୱାର୍କିଂ ଗ୍ରୁପ ଗଠନ ହେବ-ଧର୍ମେନ୍ଦ୍ର ପ୍ରଧାନ
-
ଜାତୀୟ ଶିକ୍ଷା ନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅନ୍ତର୍ଜାତୀୟକରଣ କରିବାର ମାର୍ଗ ପ୍ରଶସ୍ତ କରିଛି
-
ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋରିଜମ ଆଣ୍ଡ୍ ବିଜନେସ୍ ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
-
ଅନୁଷ୍ଠାନର କୁଳପତିଙ୍କ ସହ ପର୍ଯ୍ୟଟନ, ଆତିଥ୍ୟ, ବ୍ୟବସାୟ କ୍ଷେତ୍ରରେ କ୍ଷମତା ବୃଦ୍ଧି ନେଇ ଆଲୋଚନା
-
ସୁଗ୍ରିବ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
-
ଭାରତ ବିଶ୍ୱବିଦ୍ୟାଳୟ ଏବଂ ସୁଗ୍ରିବ ବିଶ୍ୱବିଦ୍ୟାଳୟ ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ଦକ୍ଷତା ବିକାଶରେ ଉଭୟ ରାଷ୍ଟ୍ର ପରସ୍ପର ସହଯୋଗୀ ହେବା ଏବଂ ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସାଉଥ ଆଫ୍ରିକାର ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଛି । ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅନ୍ତର୍ଜାତୀୟକରଣ କରିବାର ମାର୍ଗ ପ୍ରଶସ୍ତ କରିଛି । ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନ, ଦକ୍ଷତା ଭିତ୍ତିକ ଯୋଗ୍ୟତା ଓ ଦକ୍ଷତା ବିକାଶର କ୍ଷମତା ଗଠନ ଦିଗରେ ଭାରତ ଓ ସାଉଥ ଆଫ୍ରିକା ଆନୁଷ୍ଠାନିକ ଭାବରେ ସହଯୋଗୀ ହେବା ପାଇଁ ଆଲୋଚନା କାଳରେ ସହମତି ପ୍ରକାଶ ପାଇଛି ।
ଏହି ବୈଠକ ପରେ ଶ୍ରୀ ପ୍ରଧାନ ବାଲି ଠାରେ ଥିବା ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋରିଜମ ଆଣ୍ଡ୍ ବିଜନେସ୍ ଅନୁଷ୍ଠାନ ପରିଦର୍ଶନ କରିବା ସହ ଅନୁଷ୍ଠାନର କୁଳପତି ଡ. ଆଇ ମେଡ୍ ସୁଜାନାଙ୍କୁ ଭେଟିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦକ୍ଷତା ବିକାଶ କ୍ଷେତ୍ରରେ ଏଭଳି ଅନୁଷ୍ଠାନ ଗୁଡ଼ିକ ସହଯୋଗୀ ହେଲେ ପର୍ଯ୍ୟଟନ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ ଏବଂ ପରିଭ୍ରମଣ, ପର୍ଯ୍ୟଟନ, ଆତିଥ୍ୟ, ବ୍ୟବସାୟ ତଥା ବ୍ୟାପାର କ୍ଷେତ୍ରରେ କ୍ଷମତା ବୃଦ୍ଧି ଘଟିବ । ଶିକ୍ଷାନୁଷ୍ଠାନର କୁଳପତି ଡ. ସୁଜାନା ମଧ୍ୟ ଭାରତର ଶିକ୍ଷାନୁଷ୍ଠାନ ସହ ସହଯୋଗୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ସାକ୍ଷାତ୍ ପରେ କେନ୍ଦ୍ରମନ୍ତ୍ରୀ ଉକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟି ମଧ୍ୟ ଆଲୋଚନା କରିଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଇଣ୍ଡୋନେସିଆର ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ‘ସୁଗ୍ରିବ ବିଶ୍ୱବିଦ୍ୟାଳୟ’କୁ ଗସ୍ତ କରିବା ସହ ସେଠାକାର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କର ପ୍ରତିଫଳନ । ସଂସ୍କୃତ, ଦର୍ଶନଶାସ୍ତ୍ର, ଯୋଗ ଓ ଆୟୁର୍ବେଦ ଭଳି କ୍ଷେତ୍ରରେ ଭାରତର ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରିବାର ଅପାର ସୁଯୋଗ ରହିଛି । ଭାରତ ବିଶ୍ୱବିଦ୍ୟାଳୟ ଏବଂ ସୁଗ୍ରିବ ବିଶ୍ୱବିଦ୍ୟାଳୟ ମଧ୍ୟରେ ସମନ୍ୱୟ ରଖିବା ସହ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ କରାଗଲେ ଉଭୟ ଦେଶରେ ଥିବା ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଆର୍ଥିକ ସମ୍ପର୍କ ଟାଣ ହେବ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବାଲି ଠାରେ ରହୁଥିବା ପ୍ରବାସୀ ଓଡ଼ିଆ ଓ ଭାରତୀୟଙ୍କୁ କେନ୍ଦ୍ରମନ୍ତ୍ରୀ ସାକ୍ଷାତ୍ କରିଥିଲେ ।