
କନ୍ଧମାଳ, ଜି. ଉଦୟଗିରି ଥାନାରେ ଏସଆଇ ଭାବେ କାର୍ଯ୍ୟରତ ଥିବା ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସମ୍ପୃକ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ ରେବତୀ ଶବରଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ଫୁଲବାଣୀକୁ ବଦଳି କରାଯାଇଛି ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍ଵାଗତିକାଙ୍କୁ ଥାନାରେ ଜି. ଉଦୟଗିରି ଥାନା ଭାରପ୍ରାପ୍ତ ଅଧିକାରୀ ରେବତୀ ଶବର ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ବିଭିନ୍ନ ସମୟରେ ନାନା ପ୍ରକାର ମାନସିକ ନିର୍ଯ୍ୟାତନା ଦେଇଥିବାରୁ ଏସଆଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ଥାନାରେ ଏତଲା କରିବା ସହ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଶବ ରଖି ଧାରଣାରେ ବସି ରହିଥିଲେ । ଅଭିଯୋଗକୁ ଭିତି କରି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଏସପି ବିନୀତ ଅଗ୍ରୱାଲ ସମ୍ପୃକ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟ ଫୁଲବାଣୀକୁ ବଦଳି କରିଛନ୍ତି । ଏହା ସହ ଘଟଣାର ତଦନ୍ତ ଜାରୀ ରହିଥିବା ନେଇ ଅଭିଯୋଗକାରୀଙ୍କ ନିକଟରେ ନିଜେ ପହଂଚି ସୂଚନା ଦେଇଛନ୍ତି ।