
ମାଲକାନଗିରି, ସଫଳ ହୋଇଛି ସେତୁ ଯୋଜନା । ମାଛ ବିକି ସ୍ଵାବଲମ୍ବି ହେଉଛନ୍ତି ସ୍ଵାଭିମାନ ଅଞ୍ଚଳବାସୀ । ଏ ଚିତ୍ର ହେଉଛି ମାଲକା ନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରର । ୨୦୧୮ ଜୁଲାଇ ମାସରେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ସେତୁ ଯୋଜନା ମାଧ୍ୟମରେ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମତ୍ସ୍ୟଜୀବୀଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ କୋଟି କୋଟି ଟଙ୍କାର ମାଛ ଯାଆଁଳ ଛଡାଯାଇଥିଲା । ମାଛ ଛାଡିବାର ତିନି ବର୍ଷ ପରେ ସେତୁ ଯୋଜନା ସଫଳ ହେଉଥିବା ଦେଖିବାକୁ ମିଳିଛି । ବାଲିମେଳା ଜଳ ଭଣ୍ଡାରରେ ଛଡା ଯାଇଥିବା ଭାକୁର, ରୋହି ଆଦି ମାଛ ବାଲିମେଳା ଜଳ ଭଣ୍ଡାରରୁ ଧରି ଲାଭବାନ ହୋଉଛନ୍ତି ଚାଷୀ । ବିଶେଷ କରି ଜଳଭଣ୍ଡାରର ମଧୁର ପାଣି ମାଛର ବେଶ ଚାହିଦା ରହିଥିବାରୁ ଏହା ଚିତ୍ରକୋଣ୍ଡା ଓ ମାଲକାନଗିରି ବଜାରକୁ ପଠାନ୍ତି ମତ୍ସଜୀବି । ଆଉ ଘାଟରେ ଏହି ମାଛର କିଲୋ ପିଛା ଦର ୧୫୦ ରୁ ୨୦୦ ଟଙ୍କା ରହିଥିବା ବେଳେ ବଜାରରେ ୨୫୦ ରୁ ୩୦୦ ଟଙ୍କା ଦରରେ ବିକ୍ରୀ ହୋଇଥାଏ ।
ଗୁରୁପ୍ରୀୟା ସେତୁ ଉଦଘାଟନ ପରେ ସେତୁ ଯୋଜନା ମାଧ୍ୟମରେ ମତ୍ସଜୀବିଙ୍କୁ ପ୍ରୋତ୍ସାହନ ଯୋଗାଇବା ଲାଗି ପରିକଳ୍ପନା କରିଥିଲେ ତତକାଳିନ ଜିଲ୍ଲାପାଳ ମନିଷ ଅଗ୍ରଓାଲ । ୨୦୧୯-୨୦ ଆର୍ଥୀକ ବର୍ଷ ଠାରୁ ଆରମ୍ଭ କରି ବର୍ତମାନ ଯାଏଁ ପ୍ରାୟ ୧୦ କୋଟି ଟଙ୍କାର ମାଛ ଜାଆଁଳ ଜଳଭଣ୍ଡାରରେ ଛଡାଯାଇଛି । ଏହା ସହ ମତ୍ସଜୀବୀଙ୍କ ପାଇଁ ଡଙ୍ଗା, ମାଛ ଜାଲ, ଲାଇଫ୍ ଜ୍ୟାକେଟ ଆଦି ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ୧୦ଟି ଗୃପ ମାଧ୍ୟରେ ୧୫୦୦ରୁ ଉର୍ଦ୍ଧ ମତ୍ସ୍ୟଜୀବୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ମାଛ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଖୋଦ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଉ ତାହାର ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି । ପ୍ରତିଦିନ ୧୦ ରୁ ୧୫ କିଲୋ ମାଛ ଧରି ଦୁଇ ପଇସା ରୋଜଗାର କରି ସ୍ଵାବଲମ୍ବୀ ହୋଇପାରିଛନ୍ତି ସ୍ଵାଭିମାନ ଅଞ୍ଚଳର ମତ୍ସ୍ୟଜୀବି । ଦିନ ଥିଲା ଜଳ ଭଣ୍ଡାର ଆରପଟେ ବସବାସ କରୁଥିବା ୧୫୧ ଟି ଗାଁର ଲୋକେ ଗଞ୍ଜେଇ ଚାଷ କରି ନିଜ ଜୀବିକା ନିର୍ବାହ କରୁଥିଲେ । ଆଉ ଏ ହୋଉଛି ପରିବର୍ତନର ଚିତ୍ର । ଦୀର୍ଘ ଦିନ ଧରି ବୁଡି ଅଞ୍ଚଳ ବା ବିଚ୍ଛିନ୍ନାଚଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ବାଲିମେଳା ଜଳଭଣ୍ଡାର ଘେରରେ ଥିବା ଗାଁ । ତେବେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ କେବଳ ମତ୍ସ୍ୟଜୀବି ନୁହଁ ହଳଦି, ଝାଡୁ, ଆମ୍ବ, ସୁଆଁ, ବିରି, ମାଣ୍ଡିଆ ଆଦି ଭିନ୍ନ ଭିନ୍ନ ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ସ୍ଵାଭିମାନ ଅଞ୍ଚଳବାସୀ ।