
ନୂଆଦିଲ୍ଲୀ , ଆଖି ପିଛୁଳାକେ ମାଟିରେ ମିଶିଗଲା ୮୦୦ କୋଟି ଟଙ୍କାର ବିବାଦୀୟ ଟ୍ୱିନ୍ ଟାୱାର । ରବିବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ନୋଏଡାର ସେକ୍ଟର ୯୩-ଏ ସ୍ଥିତ ଟ୍ୱିନ୍ ଟାୱାରକୁ ଧ୍ୱଂସ କରିଛି ପ୍ରଶାସନ ।
ନୋଏଡ଼ାର ଏହି ଟ୍ୱିନ୍ ଟାୱାର ଧ୍ୱଂସ ହେବା ପରେ ସୃଷ୍ଟି ହୋଇଥିବା ଧୂଳିକଣା ଓ ପ୍ରଦୂଷଣ ମାପିବା ଲାଗି ସବୁତନ୍ତ୍ର ଯନ୍ତ୍ର ଲଗାଯାଇଛି । ଟ୍ୱିନ ଟାୱାର ଆଖପାଖ ଅଂଚଳରେ ଏହି ଯନ୍ତ୍ରକୁ ଖଞ୍ଜା ଯାଇଛି । ଟାୱାର ଧ୍ୱଂସ ହେବା ପରେ କେତେ ମାତ୍ରାରେ ଧୂଳିକଣା ସୃଷ୍ଟି ହେଉଛି, ତାହା ଏହି ଯନ୍ତ୍ର ମାଧ୍ୟମରେ ମପାଯାଇଛି । ଦୁଇ କୋଠାକୁ ଧ୍ୱଂସ କରିବା ଲାଗି ପ୍ରାୟ ୩୭୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଖଞ୍ଜାଯାଇଥିଲା । ଇଂପଲସନ ଟେକ୍ନୋଲୋଜି ମାଧ୍ୟମରେ କୋଠା ଦୁଇଟି ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଯାଇଥିଲା ।
ଟାୱାର ଭାଙ୍ଗିବା ପୂର୍ବରୁ ଆଖପାଖରେ ଥିବା ବିଲ୍ଡଂଗୁଡିକ ଖାଲି କରାଯାଇଥିଲା । ଧୂଳିକୁ କମ କରିବାକୁ ଅନ୍ୟ ବିଲ୍ଡିଂ ଗୁଡିକୁ ପରଦାରେ ଘୋଡ଼ାଇ ଦିଆଯାଇଛି । ଦୁଇଟି ଟାୱାର ଆଖପାଖର ୧୦୦ ମିଟର ଅଂଚଳକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଥିଲା । ଏଥିସହ ପୂରା ଅଂଚଳରେ ୧୪୪ ଧାରା ଜାରି କରାଯାଇଥିଲା ।
ଦେଶରେ ପ୍ରଥମ ଥର ପାଇଁ ଏତେ ଉଚ୍ଚ କୋଠା ଭଙ୍ଗାଯାଇଛି । ଏହି ଦୁଇ ଟାୱାରର ୪୦ ମହଲା ବିଶିଷ୍ଟ କରିବାକୁ ଯୋଜନା କରାଯାଇଥିଲା । ତେବେ ଦୁଇ ଟାୱାର ବର୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିଲା । ଆପେକ୍ସ ଟାୱାର ୩୨ ମହଲା ନିର୍ମିତ ହୋଇଥିବା ବେଳେ ସିଆନ ଟାୱାର ୨୯ ମହଲା ନିର୍ମିତ ହୋଇଛି । ତେବେ କୋର୍ଟ ମାମଲାରୁ ଏହି ଟାୱାରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନଥିଲା । ଏହି ଦୁଇ ବିଲ୍ଡିଂରେ ୯ଶହରୁ ଅଧିକ ଫ୍ଲାଟ ରହିଥିଲା । ଏଥିମଧ୍ୟରୁ ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିସାରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।